କେନ୍ଦ୍ରାପଡ଼ା ରଥଯାତ୍ରା ପାଇଁ ହାଇକୋର୍ଟରେ ମାମଲା

କଟକ,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଏଡାଇବା ପାଇଁ ରାଜ୍ୟ ସରକାର ଜନ ଗହଳି ଭଳି କାର୍ଯ୍ୟକ୍ରମକୁ ବାରଣ କରୁଛନ୍ତି। ଏନେଇ ରାଜ୍ୟରେ ପର୍ଯ୍ୟଟନ ସ୍ଥଳୀ ଓ ମନ୍ଦିର ଗୁଡ଼ିକୁ ମଧ୍ୟ ବନ୍ଦ ରଖାଯାଇଛି। ଏହି ମଧ୍ୟରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବ ଜୀଉଙ୍କ ରଥଯାତ୍ରାକୁ ବାରଣ କରାଯାଇଛି। ଏଥିରେ ଶ୍ରୀକ୍ଷେତ୍ର ପରି କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ମଧ୍ୟ ବିନାଭକ୍ତରେ ବଳଦେବଜୀଉଙ୍କ ରଥଯାତ୍ରା କରିବାକୁ ମନ୍ଦିରର ୫ଜଣ ସେବାୟତ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ସୂଚନା ଅନୁସାରେ, କେବଳ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ସରକାରଙ୍କ ତରଫରୁ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସୂଚନା ଦେବାପରେ ଏହାକୁ ନେଇ ଗତ କିଛିଦିନ ହେବ କେନ୍ଦ୍ରାପଡାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚଳିତ ବର୍ଷ ତୁଳସୀକ୍ଷେତ୍ରରେ ରଥଯାତ୍ରା କରିବାକୁ ବଳଦେବଜୀଉ ମନ୍ଦିର ସେବାୟତ, ନିଯୋଗ, ବିଭିନ୍ନ ସାମାଜିକ ସଂଗଠନ ସହିତ ସାଧୁସନ୍ଥମାନେ ଦାବି କରିଛନ୍ତି। ବଳଦେବଜୀଉଙ୍କ ରଥଯାତ୍ରା ବନ୍ଦ ନିଷ୍ପତିି ବିରୋଧରେ ଏକ ଜନସ୍ୱାର୍ଥ ମାମଲା ଡବ୍ଲୁ .ପି.ସି. ନମ୍ବର-୧୭୯୬୪/୨୦୨୧ ଓଡିଶା ହାଇକୋର୍ଟରେ ଆଜି ଦାଏର ହୋଇଛି। ଏହି ମାମଲାକୁ କେନ୍ଦ୍ରାପଡା ଆଳି ଅଞ୍ଚଳର ପ୍ରଫୁଲ୍ଲ ଚନ୍ଦ୍ର ବିଶ୍ୱାଳ ପରିଚାଳନା କରୁଛନ୍ତି। ବଳଦେବଜୀଉ ମନ୍ଦିରର ପୂଜାପଣ୍ଡା ନିଯୋଗର ମଦନ ପତ୍ରୀଙ୍କ ସହିତ ରବୀନ୍ଦ୍ର ପତ୍ରୀ, ଗୋପବନ୍ଧୁ ପତ୍ରୀ, ବିଜୟ କୁମାର ପତ୍ରୀ ଓ ପ୍ରଫୁଲ୍ଲ ପତ୍ରୀ ୧୫ ପୃଷ୍ଠା ସମ୍ବଳିତ ଏହି ଜନସ୍ୱାର୍ଥ ମାମଲା ଦାଏର କରିଥିବା ଜଣାପଡିଛି। ଏଥିରେ ଓଡିଶା ସରକାର, ପ୍ରିନ୍ସିପାଲ ସେକ୍ରେଟାରୀ, ଆଇନ ବିଭାଗ ସଚିବ, ଏଣ୍ଡାମେଣ୍ଟ କମିସନର ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।