ଉଦ୍‌ଘାଟିତ ହେଲା ସାଇବର କମ୍ପ୍ଲେକ୍ସ, ୬ମାସ ମଧ୍ୟରେ ସୋସିଆଲ ମିଡ଼ିଆ ସେଲ୍ ଖୋଲିବ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ସାଇବର ଅପରାଧ ରୋକିବା ପୁଲିସ ପାଇଁ ବଡ଼ ଚିନ୍ତାର ବିଷୟ ପାଲଟିଛି । ଏହି ଅପରାଧୀଙ୍କୁ ଧରିବାକୁ ହେଲେ ଆବଶ୍ୟକୀୟ ଟେକ୍ନୋଲୋଜି ଓ ଟ୍ରେନିଂର ଆବଶ୍ୟକତା ରହିଛି । ଏନେଇ ଭୁବନେଶ୍ୱରର କେଶରୀନଗରରେ ଏକ ସାଇବର କମ୍ପ୍ଲେକ୍ସ ବିଲ୍ଡିଂ ଉଦ୍‌ଘାଟିତ ହୋଇଛି । ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସୋମବାର ଏହାକୁ ଉଦ୍‌ଘାଟିତ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ପୁଲିସ ଡିଜି କହିଛନ୍ତି, ସମଗ୍ର ଦେଶରେ ସାଇବର କ୍ରାଇମ ଦୃତଗତିରେ ବୃଦ୍ଧି ପାଉଛି । ସବୁ ପୁଲିସଙ୍କ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ଅଛି । ସାଇବର କ୍ରାଇମ ତଦନ୍ତ କିଭଳି ତ୍ୱରାନିତ ହେବ, ସେନେଇ ଓଡ଼ିଶା ପୁଲିସର ଅଧିକାଂଶ ଅଫିସରଙ୍କୁ ସାଇବର କ୍ରାଇମ ସମ୍ବନ୍ଧିତ ଟ୍ରେନିଂ ଦିଆଯିବ ।

କଟକରେ ପରିଚାଳିତ ହେଉଥିବା ସାଇବର ଥାନାକୁ ଅପ୍‌ଗ୍ରେଡ୍ କରାଯାଇ ଭୁବନେଶ୍ୱରରେ ସ୍ଥାପିତ କରାଯାଇଛି । ଏହି ସାଇବର କମ୍ପ୍ଲେକ୍ସକୁ ମିଶାଇ ରାଜ୍ୟରେ ମୋଟ୍ ୪ଟି ସାଇବର ଥାନା ହେଲା । ପୂର୍ବରୁ ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁରରେ ସାଇବର ଥାନା ରହିଛି ।

ଭୁବନେଶ୍ୱରରେ ଏହି ସାଇବର କମ୍ପ୍ଲେକ୍ସ ଖୋଲିବା ପରେ ଟ୍ୱିନ୍‌ସିଟି ବାସିନ୍ଦାଙ୍କ ପାଇଁ ବେଶ୍ ସହାୟକ ହେବ । ଏହି କମ୍ପ୍ଲେକ୍ସରେ କ୍ରାଇମବ୍ରାଞ୍ଚର ସାଇବର ଥାନା ସମେତ ମହିଳା ଏବଂ ଶିଶୁଙ୍କ କ୍ଷେତ୍ରରେ ସାଇବର ଅପରାଧ ନିବାରଣ ସେଲ୍ ଓ ଲ୍ୟାବ୍ କମ୍ ଟ୍ରେନିଂ ସେଣ୍ଟର ରହିଛି ।

ସାଇବର ଅପରାଧୀଙ୍କ ସମ୍ପର୍କରେ ତଥ୍ୟା ହାସଲ କରିବା ପାଇଁ ଏହି କମ୍ପ୍ଲେକ୍ସରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ସଫ୍ଟଓୟାର ରହିଛି । ସି୫ ସିଡିଆର୍ ଆନାଲାଇଜର, ହାର୍ଡଡିସ୍କ ଇମେଜିଂ ଟୁଲ୍‌, ଫରେନସିକ୍ ଟୁଲ୍ କିଟ୍‌, ଭୋଲାଟାଇଲ ଡାଟା ଆନାଲାଇଜ୍ ଟୁଲ୍‌, ମୋବାଇଲ ଫରେନସିକ୍ ଆନାଲାଇଜର, ଡିଭିଆର୍ ଆନାଲାଇଜର, ସେଲ୍ ଆଇଡି ଏକ୍ସଟ୍ରାକ୍ଟର, ଇମେଜ୍ ଏନ୍‌ହାନ୍ସର ଟୁଲ୍‌, ସୋସିଆଲ ମିଡ଼ିଆ ଆନାଲାଇସିସ୍ ଟୁଲ୍‌, ଇନ୍‌ଭେଷ୍ଟିଗେସନ କିଟ୍ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜିକୁ ଉପଲବ୍ଧ କରାଯାଇଛି ।

ଫେସବୁକ୍‌, ଟ୍ୱିଟର୍‌, ବ୍ୟାଙ୍କ ଆକାଉଣ୍ଟ, ୱେବସାଇଟ୍ ହ୍ୟାକ ଭଳି ବିଭିନ୍ନ ସାଇବର ଅପରାଧକୁ ଦମନ କରିବାରେ ଏହି ସାଇବର ଷ୍ଟେସନ କାର୍ଯ୍ୟ କରିବ । ଗତବର୍ଷ ୧୫୦୦ଟି ସାଇବର ଅପରାଧ ଜନିତ ମାମଲା ରୁଜୁ ହୋଇଥିବାବେଳେ, ଚଳିତବର୍ଷ ୨୦୦୦ଅଧିକ ମାମଲା ରୁଜୁ ହୋଇଛି । ଏହାକୁ ରୋକିବା ନେଇ ରାଜ୍ୟ ପୁଲିସ ମଧ୍ୟ ଚେଷ୍ଟା ଜାରି ରଖିଛି ।
ସାଇବର ଅପରାଧୀମାନେ ବିଭିନ୍ନ ଉପାୟରେ ଲୋକମାନଙ୍କୁ ଠକୁଛନ୍ତି । ଏମାନଙ୍କ ପାଇଁ ସୋସିଆଲ ମିଡ଼ିଆ ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ଅଧିକାଂଶ ଲୋକଙ୍କ ସୋସିଆଲ ମିଡ଼ିଆ ହ୍ୟାକ୍ ହୋଇ ଟଙ୍କା ଠକେଇ କରାଯାଉଥିବା ଅଭିଯୋଗ ହେଉଛି । ଏହାକୁ ରୋକିବା ନେଇ ଆସନ୍ତା ୬ମାସ ମଧ୍ୟରେ ଏହି ସାଇବର କମ୍ପ୍ଲେକ୍ସରେ ଏକ ସୋସିଆଲ ମିଡ଼ିଆ ସେଲ୍ ଖୋଲାଯିବା ନେଇ ପୁଲିସ ଡିଜି ସୂଚନା ଦେଇଛନ୍ତି ।

ସେହିପରି ପ୍ରତ୍ୟେକ ଥାନାର ଜଣେ ପୁଲିସ ଅଫିସରଙ୍କୁ ସାଇବର କ୍ରାଇମ ସମ୍ପର୍କିତ ଟ୍ରେନିଂ ଦିଆଯିବ । ଏନେଇ ହାଇଦ୍ରାବାଦ ସ୍ଥିତ ଜାତୀୟ ପୁଲିସ ଏକାଡ଼େମୀ(ଏନ୍‌ପିଏ)ର ନ୍ୟାସନାଲ ଡିଜିଟାଲ କ୍ରାଇମ ରିସର୍ସ ଆଣ୍ଡ ଟ୍ରେନିଂ ସେଣ୍ଟର କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା ହୋଇଛି । ପ୍ରାଥମିକ ସ୍ତରରେ ୨୦୦ପୁଲିସ ଅଫିସରଙ୍କୁ ଟ୍ରେନି ଦିଆଯିବ । ସୋମବାର ଠାରୁ ଏହି ଟ୍ରେନିଂ ଆରମ୍ଭ ହୋଇଛି । ଚଳିତ ବର୍ଷ ୮ଟି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ଥାନା ଗୁଡ଼ିକର ଯେଉଁ ଅଫିସରମାନେ ଟ୍ରେନିଂ ନେବେ, ସେମାନେ ନିଜ ଥାନାକୁ ଆସୁଥିବା ସାଇବର ଅପରାଧ ଜନିତ ଅଭିଯୋଗର ତଦନ୍ତ କରିବେ । ଏହାସହିତ ସାଇବର କମ୍ପ୍ଲେକ୍ସରେ ମଧ୍ୟ ସିଧାସଳଖ ଲୋକମାନେ ଅଭିଯୋଗ କରିପାରିବେ ।