କେନାଲକୁ ଖସିଲା କାର୍ : ୧ମୃତ,୨ ଗୁରୁତର

କୋରାପୁଟ,ଏନ୍ଏନ୍ ଏସ୍: ରବିବାର ସଂନ୍ଧ୍ୟାରେ ଭାରସାମ୍ୟ ହରାଇ ଏକ କାର ଜୟପୁର ସହର ଉପକଣ୍ଠ ମୁଖ୍ୟ କେନାଲକୁ ଖସି ପଡିବାରୁ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ଜଣକ ଭୁବନେଶ୍ୱର ବାଳକାଟି ହିରାପୁର ଗ୍ରାମର ଗଦାଧର ସାହୁ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ପିକନିକ୍ ସାରି ମାଛକୁଣ୍ଡରୁ ଏକ ସୁଇପ୍ଟ ଡାଜାଇର୍ କାରରେ ୩ଜଣ କୋରାପୁଟ ଫେରୁଥିଲେ। କେନଲ୍ ରାସ୍ତାରେ ଆସୁଥିବାବେଳେ ଜୟପୁର ସରକାରୀ ହାଇସ୍କୁଲ ନିକଟରେ ଭାରସାମ୍ୟ ଉପର କୋଲାବ୍ ମୁଖ୍ୟ କେନାଲକୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ୨ଜଣଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କ ନାମ ପ୍ରଫୁଲ ମଲିକ ବୋଲି ଜଣା ପଡିଥିବାବେଳେ ଅନ୍ୟଜଣଙ୍କ ପରିଚୟ ମିଳି ପାରିନାହିଁ। ଖବରପାଇ ଜୟପୁର ଟାଉନ୍ ଥାନା, ସଦର ଥାନା ପୁଲିସ୍, ଅଗ୍ନିଶମ ବିଭାଗର ୮ଜଣିଆ ଟିମ୍ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାରେ ଲାଗି ପଡିଥିଲେ। ଦୀର୍ଘ ସମୟ ପରେ କେନାଲରୁ କାର୍ ବାହାର କରାଯିବା ବେଳକୁ ଡ୍ରାଇଭର ଗଦାଧର ସାହୁଙ୍କର ମୃତ୍ୟୁ ହୋଇ ସାରିଥିଲା। ଗଦାଧର ସିଟ୍ ବେଲଟ୍ ବାନ୍ଧିଥିବା ହେତୁ କାର୍ ଭିତରେ ରହି ଯାଇଥିଲେ। ଯାହାଫଳରେ ତାଙ୍କୁ ବାହାର କରାଯାଇ ପାରିନଥିଲା।