ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବେଆଇନ ଭାବେ ଚାଲିଛି କ୍ୟାମ୍ପସ ମେଡ଼ିସିନ ଷ୍ଟୋର

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନ ଅଭାବ କାରଣରୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କ ବିଶ୍ରାମ ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା ହୋଇପାରୁ ନଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନାଧିକାର ଓ ବେଆଇନ ଭାବେ ଦୁଇ ଦୁଇଟି କ୍ୟାମ୍ପସ ମେଡ଼ିସିନ ଷ୍ଟୋର ଖୋଲାଯାଇଛି। ଫଳରେ ଡାକ୍ତରଖାନା ପରିସରରେ ପ୍ରସ୍ତାବିତ ପ୍ରତୀକ୍ଷାଳୟ ନିର୍ମାଣରେ ବାଧା ଉପୁଜୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ରୋଗୀଙ୍କୁ ସୁବିଧା ଯୋଗାଇବା ଲକ୍ଷ୍ୟରେ ଡାକ୍ତରଖାନା ପରିସରରେ ଔଷଧ ଦୋକାନ ଖୋଲିବାକୁ ନିଷ୍ପତି ନିଆଯାଇଥିଲା।

ସେହି କ୍ରମରେ ଆବେଦନ ଅନୁଯାୟୀ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପୂର୍ବତନ ନଗରପାଳ ସୁଶୀଲ କୁମାର କପରଦାରଙ୍କୁ ଔଷଧ ଦୋକାନ ଖୋଲିବାକୁ ମଞ୍ଜୁରୀ ମିଳିଥିଲା। ମାତ୍ର ଶ୍ରୀ କପରଦାର ଜାଲ ଦସ୍ତାବିଜ ବଳରେ ଔଷଧ ଦୋକାନ ଖୋଲିଥିବା ନେଇ ତାଙ୍କ ପ୍ରତିପକ୍ଷ ଭାଇ ସୁଧୀର କୁମାର କପରଦାର ବିଭିନ୍ନ ମହଲରେ ଅଭିଯୋଗ କରିବା ସହ ଆଇନଗତ ଲଢ଼େଇ କରି ନିଉ ମେଡିକାଲ ମେଡ଼ିସିନ ଷ୍ଟୋରକୁ ଡାକ୍ତରଖାନା ପରିସରରୁ ବନ୍ଦ କରାଇ ସେ ନିଜେ କରିଥିବା ଆବେଦନ ବଳରେ ନିୟୁ ମେଡିକାଲ ଷ୍ଟୋର ସ୍ଥାନରେ ସ୍ୱସ୍ତି ଫର୍ମାଚ୍ୟୁଟିକାଲ ନାମକ ଔଷଧ ଦୋକାନ ଖୋଲିଥିଲେ।

ପରବର୍ତ୍ତୀ ସମୟରେ ସରକାର ନିଜ ନିଷ୍ପତି ବଦଳାଇ ଡାକ୍ତରଖାନା ପରିସରରେ ଔଷଧ ଦୋକାନ ଖୋଲିବାକୁ ମନା କରିବା ସହ ଖୋଲାଯାଇଥିବା ଔଷଧ ଦୋକାନ  ଗୁଡିକୁ କେବଳ ୫ ବର୍ଷ ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦେବାସହ ଆଗକୁ ଏହାର ରିନ୍ୟୁଆଲ ନ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ବଳରେ ରାଜ୍ୟର ବିଭିନ୍ନ ଡାକ୍ତରଖାନା ପରିସରରେ ଥିବା କ୍ୟାମ୍ପସ ଔଷଧ ଦୋକାନ ବନ୍ଦ ହୋଇସାରି ଥିଲେ ମଧ୍ୟ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବିନା ସରକାରୀ ଲାଇସେନ୍ସ ଓ ରାଜସ୍ୱ ନଦେଇ ଖୁଲମଖୁଲା ସ୍ୱାସ୍ଥ୍ୟ କେନ୍ଦ୍ର ଭଳି ଗୁରୁତ୍ୱ ପୂର୍ଣ୍ଣ ସ୍ଥାନରେ ଏହି ଔଷଧ ଦୋକାନ ଖୋଲା ରହିଛି।

ଅନ୍ୟପଟେ ସରକାରଙ୍କ ନିରାମୟ ଯୋଜନାରେ ରୋଗୀଙ୍କୁ ସମସ୍ତ ଔଷଧ ମାଗଣାରେ ମିଳୁଥିବା ବେଳେ ଚିକିତ୍ସାଳୟ ପରିସରରେ ଘରୋଇ ଔଷଧ ଦୋକାନର ଆବଶ୍ୟକତା ନଥିବା ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନର ଜ୍ଞାତ ସାରରେ ସରକାରୀ ଆଦେଶକୁ ସର୍ବସାଧାରଣରେ ଫୁ’ କରାଯାଉଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ହୋଇଛି। ସେହିପରି ସାମୂହିକ ସ୍ୱାର୍ଥକୁ ଆଖି ବୁଜି ଦେଇ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସରକାରୀ ଜମିକୁ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ଟେକି ଦେବା ଜିଲ୍ଲା ପ୍ରଶାସନର ଭୂମିକାକୁ ପ୍ରଶ୍ନ ଚିହ୍ନ ଲଗାଇଛି।