ଚୀନ ଭାରତ ଉପରେ ଆକ୍ରମଣ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବ: ସେନା ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସୈନିକ ସ୍କୁଲରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ନୂଆ ସେନା ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି ବଡ଼ ବୟାନ ଦେଇଛନ୍ତି। ଭାରତ-ଚୀନ ବିବାଦକୁ ନେଇ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଚୀନ ଭାରତ ଉପରେ ଆକ୍ରମଣ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବ। ଭାରତ ପରମାଣୁ ସମ୍ପନ୍ନ ରାଷ୍ଟ୍ର ଏବଂ ଭାରତୀୟ ସେନା ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ସେନା। ଏବେ ବିଶ୍ୱରେ ଯୁଦ୍ଧକୌଶଳରେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି।

ପଡୋଶୀ ରାଷ୍ଟ୍ର ଚୀନ ନିଜ ସେନାକୁ ଆଧୁନିକୀକରଣ କରିବା ସହ ପାକିସ୍ତାନ ସେନାକୁ ମଧ୍ୟ ଆଧୁନୀକକରଣ କରିବାରେ ସହଯୋଗ କରୁଛି। ହେଲେ ପଡୋଶୀ ରାଷ୍ଟ୍ର ଠାରୁ ଭାରତୀୟ ସେନା ଅଧିକ ଆଧୁନିକ। ଭାରତୀୟ ଯବାନ ଯେଉଁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଉପକରଣ ସବୁ ବ୍ୟବହାର କରୁଛନ୍ତି ତାହା ବେଶ ଶକ୍ତିଶାଳୀ। ଏହାଛଡା ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଭାରତୀୟ ଯବାନ ପ୍ରସ୍ତୁତ ବୋଲି ନୂଆ ସେନା ଉପମୁଖ୍ୟ କହିଛନ୍ତି। ସେହିପରି ଅଧିକ ମାତ୍ରାରେ ଓଡ଼ିଆ ଯୁବକଯୁବତୀ ସେନାରେ ସାମିଲ ହେବାକୁ ଚଣ୍ଡୀ ପ୍ରସାଦ ମହାନ୍ତି ଆହ୍ୱାନ ଦେଇଛନ୍ତି। ଦେଶ ଓ ରାଜ୍ୟ ପାଇଁ ଗର୍ବିତ ବୋଲି ସେ କହିଛନ୍ତି।