ଭିତରକନିକାରେ ଲାଗିଲା କ୍ୟାମେରା, ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ରଖାଯିବ ନଜର

କେନ୍ଦ୍ରାପଡା,ଏନ୍ଏନ୍ଏସ୍: ଭିତରକନିକା ଜାତୀୟ ଉଦ୍ୟାନରେ କ୍ୟାମେରା ଲଗାଯାଇଛି, ଯଦ୍ୱାରା ବନ୍ୟଜନ୍ତୁମାନଙ୍କ ଗତିବିଧି ଉପରେ ନିରୀକ୍ଷଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ରାଜନଗର ରେଞ୍ଜର ଘଞ୍ଚ ଜଙ୍ଗଲ ମଧ୍ୟରେ କ୍ୟାମେରା ଖଞ୍ଜାଯାଇଛି। ପର୍ଯ୍ୟାୟକ୍ରମେ ରାଜନଗର ଲୁଣା ଜଙ୍ଗଲ ବନ୍ୟଜୀବ ବନଖଣ୍ଡ ଅଧୀନରେ ଥିବା ସମସ୍ତ ୫ଟି ରେଞ୍ଜର ଜଙ୍ଗଲ ମଧ୍ୟରେ କ୍ୟାମେରା ଲାଗିବ ବୋଲି ଡିଏଫଓ ଡ. ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ରେଞ୍ଜର ସୁନେଇ ରୂପେଇ ଫରେଷ୍ଟ ବ୍ଲକର ରାଜାବନ୍ଧ, ଅଙ୍ଗାରି ଫରେଷ୍ଟ ବ୍ଲକ୍‌, ବରୁଣେଇ, ଦୋବାନ୍ଧି, ଠାକୁରଡିଆ ଫରେଷ୍ଟ ବଲ୍କ ମଧ୍ୟରେ ୨୦ଟି କ୍ୟାମେରା ଲାଗିଛି। କ୍ୟାମେରାରେ ୨ ମାସ ଯାଏ ଭିଡିଓ ଷ୍ଟୋରେଜ୍ ହୋଇ ରହିପାରିବ। କ୍ୟାମେରାରେ ଭିତରକନିକାର ଫିସିଂ କ୍ୟାଟ୍‌, ବଣବିରାଡି ଗତିବିଧି ନିରୀକ୍ଷଣ କରାଯିବ।

ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଣୀକରଣ ଓ ଭାରତୀୟ ବନ୍ୟଜୀବ ସଂସ୍ଥା, ଡେରାଡୁନ ମାଧ୍ୟମରେ ବନ୍ୟଜୀବଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି। ଭାରତର ସୁନ୍ଦରବନ ମ୍ୟାନ୍‌ଗ୍ରୋଭ୍ ଅଞ୍ଚଳରେ କ୍ୟାମେରା ଟ୍ରାପ୍ ଯୋଜନା ଆରମ୍ଭ ହୋଇଥିଲା। ସୁନ୍ଦରବନର ସଫଳତା ପରେ ଭିତରକନିକାରେ କ୍ୟାମେରା ଖଞ୍ଜା ଯାଇଥିବା କୁହାଯାଇଛି।