ବିଜେଡିରେ ମିଶିବି, ନବୀନଙ୍କ ହାତମୁଠା ଟାଣ କରିବି-ପ୍ରଦୀପ ମାଝୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୁଇଦିନ ତଳେ ସୋନିଆଙ୍କୁ ଚିଠି ଲେଖି ନିଜର ଇସ୍ତଫା ପତ୍ର ଦେଇଥିବା ପ୍ରଦୀପ ମାଝୀ ବିଜୁ ଜନତା ଦଳରେ ମିଶିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସର ପାଦରେ ଚାଲିବା ଏବେ ସମ୍ଭବ ନୁହେଁ। ରାଜ୍ୟରେ କଂଗ୍ରେସ ସରକାରକୁ ଫେରିପାରିବ ନାହିଁ। ତେଣୁ ଦକ୍ଷିଣାଞ୍ଚଳର ବିକାଶ ପାଇଁ ବିଜେଡିରେ ମିଶିବାକୁ ନିଷ୍ପତି ନେଇଥିବା କହିଛନ୍ତି ପ୍ରଦୀପ। ପ୍ରେସ୍‌ମିଟ୍‌ରେ ସେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହିତ ତାଙ୍କର ସମର୍ଥକଙ୍କୁ ନେଇ ଖୁବଶୀଘ୍ର ସେ ବିଜେଡିରେ ମିଶିବେ। ରାଜ୍ୟରେ ଦୀର୍ଘଦିନ ଧରି ବିଜେଡି ସ୍ଥିିର ସରକାର ଦେବାରେ ସଫଳ ହୋଇଛି ଏବଂ ସେ ବିଜେଡିରେ ମିଶି ନବୀନଙ୍କ ହାତମୁଠାକୁ ଟାଣ କରିବେ ବୋଲି କହିଛନ୍ତି।

ରାଜ୍ୟରେ ବିଜେଡିର ପତିଆରା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରତି ନିର୍ବାଚନରେ ବିଜେଡିର ଭୋଟ ପ୍ରତିଶତ ମଧ୍ୟ ବୃଦ୍ଧି ପାଉଛି ଏବଂ ମୁଖ୍ୟମନ୍ତ୍ରୀ ସେହି ଅଞ୍ଚଳର ବିକାଶ ପାଇଁ ଚିର ପ୍ରତିଶ୍ରୁତି ବଦ୍ଧ ବୋଲି ସେ କହିଛନ୍ତି। ଦୁଇ ଦିନ ତଳେ ସେ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ନିଜର ଇସ୍ତଫା ଦେଇଥିଲେ। କଂଗ୍ରେସର ଏହି ବରିଷ୍ଠ ସଦସ୍ୟ ପୁର୍ବରୁ ନବରଙ୍ଗପୁରରୁ ସାଂସଦ ରହିସାରିଛନ୍ତି। କଂଗ୍ରେସରେ ଜନସେବାର ସୁଯୋଗ ନଥିବା କହି ଅତି ଦୁଃଖ କଷ୍ଟର ସହ ସେ ଇସ୍ତଫା ନିଷ୍ପତି ନେଇଥିବା ଚିଠିିରେ ଉଲ୍ଲେଖ କରିଥିଲେ। କିଛି ଦିନ ତଳେ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଉଥିବା ନେଇ ରାଜ୍ୟ ରାଜନିତୀରେ ତିବ୍ର ଆଲୋଚନା ହେଉଥିବାବେଳେ ଏହା ଏକ ଗୁଜବ ବୋଲି କହି ମାଝି ଏହି ଆଲୋଚନାକୁ ଏଡାଇ ଯାଇଥିବା ବେଳେ କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜେଡିରେ ମିଶୁଥିବା ନେଇ ନବରଙ୍ଗପୁରରେ ଏକ ପ୍ରେସ୍ ମିଟ କରି ଏ ବିଷୟରେ ସୂଚନା ଦେଇଛନ୍ତି।

ରାଜ୍ୟରେ କଂଗ୍ରେସ ଦିନକୁ ଦିନ ନିଜର ଅମାନତ ହରାଉଥିବା ବେଳେ ଦଳର ବିଭିନ୍ନ ନେତା ପୁର୍ବେ ଦଳ ଛାଡି ଶାସକ ବିଜେଡି ମୁହାଁ ହୋଇଛନ୍ତି। ଯାହା ରାଜ୍ୟରେ କଂଗ୍ରେସର ପତିଆରାକୁ ହାନି ପହଞ୍ଚାଇଛି। ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଭୂପିନ୍ଦର ସିଂ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇ ରାଜ୍ୟସଭା ସାଂସଦ ଭାବରେ ପୁରସ୍କୃତ ହୋଇଥିଲେ। ଏହା ପରେ ଝାରସୁଗୁଡା ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ବିଜେଡିରେ ଯୋଗ ଦେବା ପରେ ଲଗାତାର ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ନିଜର ସ୍ଥିତି ବଜାୟ ରଖିଛନ୍ତି। ଏବେ ପ୍ରଦୀପ ଜନସେବା କରିବାକୁ କହି ବିଜେଡିରେ ମିଶିବାକୁ ନିଷ୍ପତି ନେଇଥିବା ବେଳେ, କ୍ଷମତା ଲୋଭରେ ବିଜେଡିରେ ମିଶୁଥିବା କଂଗ୍ରେସ ପକ୍ଷରୁ ତାରା ବାହିନୀ ପତି କହିଛନ୍ତି।