ଫୁଲବାଣୀ,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ପାଇଁ ସ୍ୱୀକୃତି ମିଳିଛି। ପ୍ରକଳ୍ପ ପାଇଁ ୩୮୦ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି। ଏଠାରେ ୧୦୦ ଶଯ୍ୟାର ବ୍ୟବସ୍ଥା ରହିବ ବୋଲି କୁହାଯାଇଛି। ଏଥିପାଇଁ ଫୁଲବାଣୀ ସହର ଉପକଣ୍ଠ କଲାଡିଠାରେ ୩୦ ଏକର ଜମି ଚିହ୍ନଟ କରାଯାଇଛି ।
ଆଜି କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯିବାପରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଏହାଦ୍ୱାରା କନ୍ଧମାଳ ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇ ପାରିବ ବୋଲି କହିଥିଲେ। ୩୬ ମାସ ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରଖାଯାଇଥିବା ସେ ପ୍ରକାଶ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର କର୍ଣ୍ଣ ଉପସ୍ଥିତ ଥିଲେ। ଏନେଇ ଜିଲ୍ଲାପାଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।