ଆଜି ରାଜ୍ୟସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍

ମୁମ୍ବାଇ,ଏଜେନ୍ସି : ନାଗରିକତ୍ୱ ସଂଶୋଧନ ବିଧେୟକ (ସିଏବି) ବୁଧବାର ରାଜ୍ୟସଭାରେ ଆଗତ ହେବାକୁ ଯାଉଛି। ୨୪୫ ସଦସ୍ୟ ବିଶିଷ୍ଟ ଉଚ୍ଚ ସଦନରେ ବିଧେୟକ ଗୃହୀତ କରାଇବା ପାଇଁ ସରକାରଙ୍କୁ ୧୨୩ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ରହିଛି। ସରକାରଙ୍କ ପକ୍ଷରେ ଆବଶ୍ୟକ ସମର୍ଥନ ରହିଥିବାରୁ ଏହା ସୁରୁଖୁରୁରେ ଗୃହୀତ ହେବାର ଆଶା ରହିଛି ଲୋକସଭାରେ ନାଗରିକତା ସଂଶୋଧନ ବିଲକୁ ସମର୍ଥନ କରି ଭୋଟ ଦେବାପରେ ଶିବସେନା ରାଜ୍ୟସଭାରେ ବିଲକୁ ବିରୋଧ କରିବାର ସମ୍ଭାବନା ଅଛି।

ଏଥିପାଇଁ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ବିଜେପିକୁ କେତୋଟି ପ୍ରଶ୍ନ ପଚାରିଛନ୍ତି। ଉକ୍ତ ପ୍ରଶ୍ନର ଉତ୍ତର ନମିଳିଲେ ରାଜ୍ୟସଭାରେ ବିଲ ବିପକ୍ଷରେ ଭୋଟଦେବ ଶିବସେନା। ସୋମବାର ଲୋକସଭାରେ ବିଲ ସପକ୍ଷରେ ଭୋଟ ଦେଇ ଶିବସେନା ମହାରାଷ୍ଟ୍ରରେ କଂଗ୍ରେସ ଓ ଏନ୍ସିିପି ସହ କରିଥିବା ମେଣ୍ଟ ଧର୍ମକୁ ଉଲ୍ଲଙ୍ଘନ କରିଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ତୀବ୍ର ପ୍ରତିକ୍ରିୟା ପରେ ଉଦ୍ଧବ ଠାକ୍ରେଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ ଘଟିଛି। ନାଗରିକତା ସଂଶୋଧନ ବିଲରେ କିୟଦାଂଶ ପରିବର୍ତ୍ତନ କରିବା ପାଇଁ ରାଜ୍ୟସଭାରେ ଶିବସେନା ପ୍ରସ୍ତାବ ରଖିବ। ଶିବସେନା କହିଛି, ନାଗରିକତା ସଂଶୋଧନ ବିଲ ସମର୍ଥନ ଓ ବିରୋଧକୁ ନେଇ ଲୋକଙ୍କ ମନରୁ ଭ୍ରାନ୍ତ ଧାରଣା ଉଠିଯିବା ଦରକାର। ଦେଶବାସୀଙ୍କ ମତରେ ନାଗରିକତା ସଂଶୋଧନ ବିଲ ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରୁଥିବା ଦଳଗୁଡ଼ିକ ଦେଶପ୍ରେମୀ ଓ ବିରୋଧ କରୁଥିବା ଦଳଗୁଡ଼ିକ ଦେଶଦ୍ରୋହୀ। ମଙ୍ଗଳବାର ମୁମ୍ବାଇରେ ଗଣମାଧ୍ୟମ ଆଗରେ ଉଦ୍ଧବ ଠାକ୍ରେ କହିଛନ୍ତି ଯେ ବିଲ୍ ପ୍ରସଙ୍ଗରେ ପଚରା ଯାଉଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ସରକାର ଠିକ୍ଭାବେ ଦିଅନ୍ତୁ।

ଲୋକସଭାରେ ବିଲ ସପକ୍ଷରେ ଶିବସେନା କାହିଁକି ଭୋଟ ଦେଲା ପ୍ରଶ୍ନର ଉତ୍ତରରେ ଉଦ୍ଧବ କହିଛନ୍ତି, ‘ଅନ୍ୟ ଦେଶରେ ବିଭିନ୍ନ ବର୍ଗର ଲୋକଙ୍କ ପ୍ରତି ଘଟୁଥିବା ହିଂସାକାଣ୍ଡ ପ୍ରତି ସଦୟ ଭାବ ପୋଷଣ କରି ଆମେ ଭୋଟ ଦେଇଥିଲୁ। କିନ୍ତୁ ଏବେ ଆମ ଆଗରେ ଗୁଡ଼ାଏ ପ୍ରଶ୍ନ ଉଙ୍କି ମାରିଛି। ସେସବୁର ଠିକ୍ ଜବାବ ନ ମିଳିବା ପର୍ଯ୍ୟନ୍ତ ଆମେ ରାଜ୍ୟସଭାରେ ଭୋଟ ଦେବୁନି।’

ନାଗରିକତା ସଂଶୋଧନ ବିଲରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ରହୁଥିବା ଅଣ-ମୁସଲିମ ପରିବାର ପାଇଁ ସୁବିଧା ପ୍ରଦାନ କରାଯାଇଛି ଅଭିଯୋଗ କରି କଂଗ୍ରେସ ଓ ସମଭାବାପନ୍ନ ଦଳଗୁଡ଼ିକ ପ୍ରତିବାଦ କରିଛନ୍ତି। ବିଜେପି ସହିତ ସମ୍ପର୍କ ଛିନ୍ନ କରିବା ପରେ ଶିବସେନା ବିଲ୍ ବିପକ୍ଷରେ ଭୋଟ ଦେବ ବୋଲି ଆଶା କରାଯାଉଥିଲା। କିନ୍ତୁ ସେପରି କିଛି ହୋଇନଥିଲା। ନାଗରିକତା ସଂଶୋଧନ ଚିଠା ଜରିଆରେ ଭାରତର ମୂଳଦୁଆକୁ ନଷ୍ଟ କରିବାର ଅପପ୍ରୟାସ ଚାଲିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଶଙ୍କା ବ୍ୟକ୍ତ କରିଛନ୍ତି।