କୋଲକାତା,ଏଜେନ୍ସି: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୧ ଜାନୁଆରୀରୁ ନାଗରିକତା ସଂଶୋଧନ ଆଇନ୍(ସିଏଏ) ଲାଗୁ ହେବ ବୋଲି ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗୀୟା କହିଛନ୍ତି। ଉତ୍ତର ଚବିଶ ପ୍ରଗଣା ଅଞ୍ଚଳରେ ‘ଆର ନୋୟ ଅନ୍ୟାୟ’ ଅଭିଯାନ ଅବସରରେ ସେ ଏହି ସୂଚନା ଦେଇଛନ୍ତି। ପାକିସ୍ତାନ ଏବଂ ବାଂଲାଦେଶର ଅଧିକ ସଂଖ୍ୟକ ଶରଣାର୍ଥୀ ପଶ୍ଚିମବଙ୍ଗରେ ଅଛନ୍ତି। ସମସ୍ତଙ୍କୁ ନାଗରିକତା ଦେବା ଉଦ୍ଦେଶ୍ୟ ରଖି ବିଜେପି ପକ୍ଷରୁ ଏହି ଆଇନ୍ ଅଣାଯାଇଥିବା ସେ କହିଛନ୍ତି।
ଏହାଛଡ଼ା ପଶ୍ଚିମବଙ୍ଗରେ ଟିଏମ୍ସି ସରକାରଙ୍କର ଶରଣାର୍ଥୀଙ୍କ ପ୍ରତି ସହାନୁଭୂତି ନଥିବା ଆରୋପ ଲଗାଇଛନ୍ତି ବିଜୟବର୍ଗୀୟା। ତାଙ୍କର ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଟିଏମ୍ସି ନେତା ତଥା ମନ୍ତ୍ରୀ ଫିରହାଦ ହକିମ୍ କହିଛନ୍ତି ଯେ, ବିଜେପି ରାଜ୍ୟବାସୀଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛି। ସୂଚନାଯୋଗ୍ୟ, ୨୦୨୧ ଏପ୍ରିଲ୍-ମେ ମାସରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ରାଜ୍ୟର ବିଭିନ୍ନ ସ୍ଥାନରେ ରାଲିମାନ ଆୟୋଜନ କରୁଛି।