ଭୁବନେଶ୍ୱର,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ଯଦୁପୁର ଯାଇ ମୃତ ନାବାଳିକା ପରୀର ପରିବାରକୁ ଭେଟି ଆସିବା ପରେ ରବିବାର ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ଉପରେ ଖୁବ୍ ବର୍ଷିଛନ୍ତି ପ୍ରଦେଶ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର। ବିଜେପି ସିବିଆଇ ତଦନ୍ତ ଦାବି କରୁଥିବାବେଳେ ଚେଲ୍ଲାକୁମାର ତାହାକୁ କଟାକ୍ଷ କରିଛନ୍ତି ଏବଂ ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି କହି କଡ଼ା ସମାଲୋଚନା କରିଛନ୍ତି। ଯାହାର ଜବାବରେ ଚେଲ୍ଲାକୁମାର ପ୍ରଥମେ ନିଜ ଦଳକୁ ସମ୍ଭାଳନ୍ତୁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।
ଶ୍ରୀ ନାଏକ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସିବିଆଇ ତଦନ୍ତ କେବେ ବନ୍ଦ ହୁଏନାହିଁ। ଥରେ ନବୀନ ବାବୁଙ୍କ ବାଟ ମୁହଁକୁ ପହଞ୍ଚିଛି ମାନେ ଘରେ ପ୍ରବେଶ କରିବ। କୁନ୍ଦୁଲି ଘଟଣାରେ ଏସ୍ଆଇଟି ତଦନ୍ତକୁ ବିରୋଧ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା। ହେଲେ ପରୀ ଘଟଣାରେ ଏସ୍ଆଇଟି ତଦନ୍ତ ଲାଗି କେମିତି ରାଜି ହେଲେ ଏହା ଆମକୁ ଆଶ୍ଚର୍ଯ୍ୟ କରୁଛି। ଏପରିକି ସରକାର ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେବାପରେ କଂଗ୍ରେସ ଏହାକୁ ତାଙ୍କର ବଡ଼ ଉପଲବ୍ଧି ବୋଲି କହୁଛି ଏବଂ ନିଜକୁ ଆତ୍ମସନ୍ତୋଷ ପ୍ରଦାନ କରୁଛି। ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି ସେ କହୁଛନ୍ତି। ପ୍ରଥମେ ନିକଟରେ ସମାପ୍ତ ହୋଇଥିବା ଉପନିର୍ବାଚନରେ କଂଗ୍ରେସ କିଣେଇ ବିକେଇ ହେଲା ନା ବିଜେପି ସେ କଥା ବିଚାର କରନ୍ତୁ। ଏପରିକି ବିଧାନସଭାରେ ସବୁ ପ୍ରସଙ୍ଗରେ ବିଜୁ ଜନତା ଦଳକୁ ସହଯୋଗ କରୁଛି କଂଗ୍ରେସ। ଏଣୁ କିଏ ପ୍ରକୃତରେ ମୁଦ୍ରାର ଦୁଇ ପାର୍ଶ୍ୱ ସେ କଥା ଓଡ଼ିଶାବାସୀ କହିବେ।
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ନେଇ କଂଗ୍ରେସ ବିଜେପିକୁ ଚାଲେଞ୍ଜ କରିବା ପ୍ରସଙ୍ଗରେ ଶ୍ରୀ ନାଏକ କହିଛନ୍ତି ଯେ ଏ କଥା ଜଣେ ସାଧାରଣ ଲୋକ ବି କହିପାରିବ। ତେଣୁ ପ୍ରଥମେ ଦୋଷୀକୁ ଘଣ୍ଟ ଘୋଡ଼ାଉଥିବା ପ୍ରକୃତ ଲୋକକୁ ବହିଷ୍କାର କରାଯାଉ। ପରେ ମୁଖ୍ୟମନ୍ତ୍ରୀଙ୍କ କଥା ଦେଖିବା। ତାସ୍ ପତାରୁ ଗୋଟେ ପତା ଖସିଗଲେ ମୁଖ୍ୟମନ୍ତ୍ରୀ ଆପେ ଖସିବେ। ଏବେ ବିଜେଡି ଯାହା ଚାହୁଁଛି କଂଗ୍ରେସ ତାହା କହୁଛି। ଏହା ସେମାନଙ୍କ ନିଜ କଥା ନୁହେଁ। ବିଜେଡିକୁ ସୁହାଇଲା ଭଳିଆ କଥା ହିଁ କଂଗ୍ରେସ କହିବ। ଶ୍ରୀ ନାଏକ ଏହା ମଧ୍ୟ କହିଛନ୍ତି ଯେ କିଏ କାହା ସହ ମିଶିଛି ଏ କଥା କଂଗ୍ରେସର ଦୁଇ ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ସୁରେଶ ରାଉତରାୟ କହିସାରିଛନ୍ତି।
ସେମାନେ କ୍ୟାମେରା ସାମ୍ନାରେ କହିଥିଲେ ଯେ ଆମ ନେତା କହିବାରୁ ଆମେ ଚୁପ୍ ବସିଗଲୁ। ଏଣୁ ବିଜେପି ସାଲିସ୍ କଲା ନା କଂଗ୍ରେସ ସାଲିସ୍ କଲା ତାହା ଚେଲ୍ଲାକୁମାରଙ୍କୁ କଂଗ୍ରେସବାଲା ବୁଝାଇଦିଅନ୍ତୁ। କେବଳ ରାଜନୀତି କରିବା ହିଁ କଂଗ୍ରେସ ଦଳର ଉଦ୍ଦେଶ୍ୟ। ଲୋକଙ୍କ ସେବା କରିବା ସେମାନଙ୍କ ଉଦ୍ଦେଶ୍ୟ ନୁହେଁ। ଦୀର୍ଘ ବର୍ଷ ଧରି ଦେଶରେ ଶାସନ କରି ସେମାନେ ବର୍ତ୍ତମାନ ଖାଲି ବସିଛନ୍ତି। ଏଣୁ କଳେବଳେ କୌଶଳେ ଶାସନକୁ ଫେରିବା ଲାଗି ସେମାନେ ବିଜେପିକୁ ନିନ୍ଦା କରୁଛନ୍ତି। ହେଲେ ପରୀ ଘଟଣାରେ ଆମର ପକ୍ଷ ସମାନ ରହିଛି। ମନ୍ତ୍ରୀଙ୍କ ବହିଷ୍କାର ଏବଂ ମାମଲାର ସିବିଆଇ ତଦନ୍ତ ଆମର ଦାବି ରହିଛି।