ସିଏଏ ବିରୋଧୀ କବିତା ଲେଖି ୨ ଗିରଫ

ବେଙ୍ଗାଲୁରୁ,ଏଜେନ୍ସି : କର୍ଣ୍ଣାଟକରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ବିରୋଧ କରିବାରୁ ଜଣେ କବି ଓ ଜଣେ ସାମ୍ବାଦିକଙ୍କୁ ପୁଲିସ ଗିରଫ କରିଛି। ଉତ୍ତର-କର୍ଣ୍ଣାଟକର କୋପାଲ ଜିଲ୍ଲାରେ ଏହି ଘଟଣା ଘଟିଛି। କବି ସିରାଜ ବିସାର ଅଲ୍ଲି ଗତମାସରେ ଏକ ବାର୍ଷିକ ସାଂସ୍କୃତିକ ଉତ୍ସବ ‘ଅନେଗୁଣ୍ଡୁ’ରେ ତାଙ୍କ କବିତା ‘ନିନ୍ନା ଦାଖାଲେ ୟାଭାଗା ନେଦୁତେ’ ଆବୃତ୍ତି କରିଥିଲେ। ଏହାପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ତେବେ ଏହି କବିତା ଆବୃତ୍ତିର ଭିଡିଓ ସୋସିଆଲ ମିଡିଆରେ ଜାନୁଆରୀ ୧୪ରେ ପୋଷ୍ଟ କରିଥିଲେ କନ୍ନଡ଼ ନେଟ୍ ଡଟ୍ କମର ସମ୍ପାଦକ ରାଜାବକ୍ସି ଏଚ୍ଭି। ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଶିବୁ ଅରାକେଡ଼ି ଏହି ଦୁଇଜଣଙ୍କ ବିରୋଧରେ ଏଥିନେଇ ଜାନୁଆରୀ ୨୪ରେ ଥାନାରେ ଏତଲା ଦେଇଥିଲେ।

ତାଙ୍କ ଏତଲାକୁ ଭିତ୍ତିକରି ଏହି ଦୁଇଜଣଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡର ୫୦୫ ଧାରାରେ ମାମଲା ରୁଜୁ ହୋଇଥିଲା। ବିସାର ଅଲ୍ଲି ଓ ରାଜାବକ୍ସି ଗତ ମଙ୍ଗଳବାର ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ। ସେମାନଙ୍କର ଆଗୁଆ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ଗିରଫ କରାଯାଇଥିଲା। ଏବେ ପୁଲିସ ସେମାନଙ୍କୁ ରିମାଣ୍ଡରେ ନେଇଛି। ବିଜେପି ନେତାଙ୍କ ଅଭିଯୋଗକୁ ଭିତ୍ତିକରି ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି ସମ୍ପୃକ୍ତ ଡିଏସ୍ପି ବିପି ଚନ୍ଦ୍ରଶେଖର ଗଣମାଧ୍ୟମକୁ କହିଛନ୍ତି। ଅନେଗୁଣ୍ଡୁ ଉତ୍ସବ ଦୀର୍ଘ ୫ ବର୍ଷ ପରେ ଆୟୋଜିତ ହୋଇଥିଲା। ଏହାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା ଉଦ୍ଘାଟନ କରିଥିଲେ। ଜାନୁଆରୀ ୯ରେ ଅନୁଷ୍ଠିତ ଏହି ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭିଦି ଓ ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ସିଟି ରବି ଉପସ୍ଥିତ ଥିଲେ।