ନୂଆଦିଲ୍ଲୀ, ଏଜେନ୍ସି : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ବଛାଯାଇଥିଲାବେଳେ ଚମ୍ପତ ରାୟ ସାଧାରଣ ସମ୍ପାଦକ ଏବଂ ସ୍ୱାମୀ ଗୋବିନ୍ଦ ଦେବ ଗିରି କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଟ୍ରଷ୍ଟି ବୋର୍ଡର ମୁଖ୍ୟ ସୁପ୍ରିମକୋର୍ଟର ବରିଷ୍ଠ ଆଡଭୋକେଟ୍ କେ ପରାଶରନଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବତନ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ରଙ୍କୁ ମନ୍ଦିର ନିର୍ମାଣ କମିଟି ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଟ୍ରଷ୍ଟର ଅନ୍ୟ ସଦସ୍ୟମାନେ ହେଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଜ୍ୟୋତିଷପୀଠାଧୀଶ୍ୱର ସ୍ୱାମୀ ବାସୁଦେବାନନ୍ଦ ସରସ୍ୱତୀଜୀ ମହାରାଜ, ଆହ୍ଲାବାଦ, ଜଗତ୍ଗୁରୁ ମାଧବାଚାର୍ଯ୍ୟ ସ୍ୱାମୀ ବିଶ୍ୱପ୍ରଶାନ୍ତ ତୀର୍ଥଜୀ ମହାରାଜ, ପେଜୱାର ମଠ ଉଡୁପୀ, ଯୁଗପୁରୁଷ ପରମାନନ୍ଦଜୀ ମହାରାଜ, ହରିଦ୍ୱାର, ସ୍ୱାମୀ ଗୋବିନ୍ଦ ଦେବ ଗିରିଜୀ ମହାରାଜ, ପୁନେ ଏବଂ ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ର, ଅଯୋଧ୍ୟା। ଅଯୋଧ୍ୟାରେ କିଭଳି ରାମମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆରମ୍ଭ ହେବ ସେ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।