ବାଏ ନାଓ, ପେ’ ଲେଟର୍‌: ଆଗାମୀ ୪ ବର୍ଷରେ ୧୦ ଗୁଣା ବଢ଼ିବ ଏହି ଶିଳ୍ପ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ବଢ଼ିଚାଲିଛି ବାଏ ନାଓ, ପେ’ ଲେଟର୍ (ବିଏନ୍‌ପିଏଲ୍‌) ଶିଳ୍ପ। ଅର୍ଥାତ୍ ଯଦି ଆପଣଙ୍କ ନିକଟରେ ଅର୍ଥ ନାହିଁ କିନ୍ତୁ ପସନ୍ଦର ଜିନିଷ କ୍ରୟ କରିବାକୁ ଚାହୁଁଛନ୍ତି, ତେବ ବ୍ୟସ୍ତ ହେବାର ନାହିଁ। ଅପାଣ ନିଜ ପକେଟ୍‌ରୁ ପେମେଣ୍ଟ ନକରି ମଧ୍ୟ କ୍ରୟ କରିପାରିବେ। ସେହି ଅର୍ଥକୁ ଏକ ନିର୍ଦ୍ଦିଷ୍ଟ ଅବଧିରେ ଆପଣଙ୍କୁ ପେମେଣ୍ଟ୍ କରିବାକୁ ହେବ। ଥରକରେ କିମ୍ବା କିସ୍ତି ଜରିଆରେ ଆପଣ ଏହି ପେମେଣ୍ଟ୍ କରିପାରିବେ। ଆଗାମୀ ଚାରିବର୍ଷ ମଧ୍ୟରେ ଏହି ଶିଳ୍ପ ୧୦ଗୁଣା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଇଂରାଜୀ ଖବର ପ୍ରସାରଣ ସଂସ୍ଥା ରଏଟର୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର କୋଟି କୋଟି ଗ୍ରାହକ ସମସ୍ୟା ବିହୀନ କ୍ରେଡିଟ୍ ପ୍ରତି ଆକର୍ଷିତ ହେଉଛନ୍ତି।

ରିସର୍ଚ କମ୍ପାନୀ ରେଡ୍‌ସିର୍‌ର ଆକଳନ ଅନୁସାରେ ଭାରତର ବିଏନ୍‌ପିଏଲ ବଜାର ୨୦୨୬ ସୁଦ୍ଧା ୪୫-୫୦ ଅରବ୍ ଡଲାର୍‌ରେ ପହଞ୍ଚିବ। ଯାହା ସମ୍ପ୍ରତି ମାତ୍ର ୩ରୁ ୩.୫ ଅରବ ଡଲାର୍ ରହିଛି। ବର୍ତ୍ତମାନ ବିଏନ୍‌ପିଏଲର ବ୍ୟବହାରକାରୀଙ୍କ ସଂଖ୍ୟା ୧୦ରୁ ୧୫ ମିଲିୟନ୍ ଥିବାବେଳେ ୨୦୨୬ ସୁଦ୍ଧା ଏହା ୧୦ରୁ ୧୦୦ ମିଲିୟନ୍‌ରେ ପହଞ୍ଚିବ ବୋଲି ରିସର୍ଚ କମ୍ପାନୀ କହିଛି। ଯଦିଓ ବିଏନ୍‌ପିଏଲରେ ମିଳୁଥିବା କ୍ରେଡିଟ୍ ପରିମାଣ ସମ୍ପ୍ରତି ମାତ୍ର ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଯାହା କ୍ରେଡିଟ୍‌କାର୍ଡରେ ମିଳୁଥିବା ଅଫର୍‌ରୁ କମ୍। ସୂଚନାଯୋଗ୍ୟ ଯେ ଫିନ୍‌ଟେକ୍ ମୋବିକ୍ୱିକ୍‌ର ବିଏନ୍‌ପିଏଲ ବ୍ୟବସାୟ ଗତ ଦୁଇବର୍ଷରେ ଦୁଇଗୁଣା ବୃଦ୍ଧି ପାଇଛି। ମୋବିକ୍ୱିକ୍ ଭାରତରେ ବିଏନ୍‌ପିଏଲ ବର୍ଗରେ ସର୍ବଶ୍ରେଷ୍ଠ ସଂସ୍ଥା। କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକ ଅନ୍‌ଲାଇନ୍ ମାଧ୍ୟମରେ କିଣାକିଣି କରିବାକୁ ଅଧିକ ଆକର୍ଷିତ ହୋଇଛନ୍ତି।