ଟିଟିଲାଗଡ଼,ଏନ୍ଏନ୍ଏସ୍: ରାଜ୍ୟର ଏକ ପ୍ରମୁଖ ସହର ଭାବରେ ଟିଟିଲାଗଡ଼ ବେଶ ପରିଚିତ । ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ସହରରୁ ଦୀର୍ଘ ବର୍ଷ ଧରି ରାଜଧାନୀକୁ ସରକାରୀ ବସ ସେବା ବନ୍ଦ ହୋଇ ରହିବା ଯୋଗୁ ସହରବାସୀ ଗମନାଗମନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ପ୍ରଶାସନିକ ଓ ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁ ଏହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇ ପାରିନାହିଁ । ଏପରିକି ସହରର ବିକାଶର ଦ୍ୱାହି ଦେଇ ଗଢ଼ି ଉଠିଥିବା ବିଭିନ୍ନ ଅନୁଷ୍ଠାନ ମଧ୍ୟ ଏବିଷୟରେ ସ୍ୱର ଉତ୍ତୋଳନ କରୁନଥିବା ବେଳେ ଦୀର୍ଘ ବର୍ଷ ଧରି ସହରବାସୀ ଏହି ବସ ସେବାରୁ ବଞ୍ଚିତ ରହିଛନ୍ତି । ଏକଦା ଟିଟିଲାଗଡ଼ ସରକାରୀ ବସଷ୍ଟାଣ୍ଡ ସହରର ପ୍ରମୁଖ କେନ୍ଦ୍ର ପାଲଟିଥିବାବେଳେ ବର୍ତ୍ତମାନ ଏହା ପରିତ୍ୟକ୍ତ ଓ ଅବହେଳିତ । ସହରବାସୀ ରାଜଧାନୀ ଭୁବନେଶ୍ୱର କିମ୍ବା ହାଇକୋର୍ଟ କଟକ ଯିବାକୁ ହେଲେ ସମ୍ପୂର୍ଣ ରୂପେ ଟ୍ରେନ ଉପରେ ନିର୍ଭରଶୀଳ । ଯଦିଓ ଟିଟିଲାଗଡ଼ ରେଳ ଜଙ୍କସନରୁ ରାଜଧାନୀ କୁ ନିୟମିତ ରେଳ ଚଳାଚଳ ବ୍ୟବସ୍ଥା ଉପଲବ୍ଧ ରହିଛି ତେବେ ଅନ୍ୟ ରାଜ୍ୟ ସହ ସଂଯୋଗ ଥିବା ଏହି ଟ୍ରେନରେ ସବୁ ସମୟରେ ଟିକେଟ ଉପଲବ୍ଧ ହେବା ସମ୍ଭବପର ନୁହେଁ । ସହରବାସୀଙ୍କୁ ଆବଶ୍ୟକ ସ୍ଥଳେ ସହରଠାରୁ ୨୮ କିମି ଦୂର ବଙ୍ଗୋମୁଣ୍ଡାକୁ ଯାଇ ନୂଆପଡ଼ା ଜିଲ୍ଲାରୁ ରାଜଧାନୀକୁ ଯାଉଥିବା କିମ୍ବା ଟିଟିଲାଗଡ଼ଠାରୁ ୨୦ କିମି ଦୂର ବେଲଗାଁ ପର୍ଯ୍ୟନ୍ତ ଯାଇ ପଡ଼ୋଶୀ କଳାହାଣ୍ଡିରୁ ରାଜଧାନୀକୁ ଯାଉଥିବା ବସ ଧରିବାକୁ ପଡୁଛି । ପ୍ରାୟ ୧୮ ବର୍ଷ ପୂର୍ବରୁ ଏକ ସରକାରୀ ନାଲି ବସ ସିନ୍ଧେକେଲାରୁ କଟକ ଭାୟା ଟିଟିଲାଗଡ଼ ଦେଇ ନିୟମିତ ଯାତାୟାତ କରୁଥିବାବେଳେ ପରବର୍ତ୍ତୀ ସମୟରେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସରକାରୀ ହାଇଟେକ୍ ବସ ଟିଟିଲାଗଡ଼ରୁ କଟକକୁ ନିୟମିତ ଯାତାୟାତ କରୁଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଯାତ୍ରୀ ଅଭାବ ଦର୍ଶାଇ ଏହି ବସ ଗୁଡ଼ିକର ରୁଟ ପରିବର୍ତ୍ତନ କରିବା ସହ ଏହି ସେବାକୁ ସମ୍ପୂର୍ଣ ବନ୍ଦ କରାଯାଇଥିଲା । ଜିଲ୍ଲା ମାନ୍ୟତା ପାଇଁ ସଂଘର୍ଷରତ ଥିବା ଏହି ସହରରୁ ରାଜଧାନୀକୁ ସିଧାସଳଖ ଏକ ବସ ସଂଯୋଗ ନ ରହିବା ନିଶ୍ଚିତ ଭାବରେ ସହରବାସୀଙ୍କ ପ୍ରତି ଏକ ଉପହାସ । ତେବେ ସଦ୍ୟ ସମାପ୍ତ ହୋଇଥିବା ମନ୍ତ୍ରୀମଣ୍ଡଳ ଅଦଳ ବଦଳ ପରେ ନୂତନ ମନ୍ତ୍ରୀ ମଣ୍ଡଳରେ ପୁନର୍ବାର କ୍ୟାବିନେଟ ମନ୍ତ୍ରୀ ଭାବେ ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁଙ୍କୁ ଜଳ ସମ୍ପଦ ବିଭାଗ ତଥା ବାଣିଜ୍ୟ ଓ ପରିବହନ ବିଭାଗର ଦାୟିତ୍ୱ ମିଳିଥିବାବେଳେ ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଏହି ବସ ସେବା ପୁନର୍ବାର ଆରମ୍ଭ ହେବା ନେଇ ସହରବାସୀଙ୍କ ମଧ୍ୟରେ ଆଶା ପ୍ରକାଶ ପାଇଛି ।