ତଡ଼ିଦେଲେ ଷ୍ଟାଫନର୍ସ, ବସଷ୍ଟାଣ୍ଡରେ ପ୍ରସବ

ନୟାଗଡ଼଼,ଏନ୍ଏନ୍ଏସ୍ : କରୋନା ମହାମାରୀକୁ ଆଳ କରି କିଛିଦିନ ତଳେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଝିଅର ଚିକିତ୍ସା କରିବା ପାଇଁ ଜଣେ କଳାକାରଙ୍କୁ ନୟାନ୍ତ ହେବାକୁ ପଡ଼ିଥିବା ବେଳେ ଗତକାଲି ରାତିରେ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସବ ବେଦନା ପାଇଁ ଛଟପଟ ହେଉଥିବା ପ୍ରସୂତିଙ୍କୁ ନାକେଦମ ହେବାକୁ ପଡ଼ିଛି। କରୋନା ହୋଇଛି କହି ଷ୍ଟାଫନର୍ସ ତାଙ୍କୁ ବିଦା କରି ଦେଇଥିବାବେଳେ ବସଷ୍ଟାଣ୍ଡରେ ରାତିସାରା ଛଟପଟ ହୋଇ ସକାଳେ ଏକ କନ୍ୟାସନ୍ତାନ ପ୍ରସବ କରିଥିଲେ। ସକାଳେ ଜଣେ ସାମ୍ବାଦିକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୂଚନା ଅନୁସାରେ, ରଣପୁର ବ୍ଲକ ଗୁଣ୍ଡୁରିଆ ଗାଁର ହାଇଦର ଖାଁ ନାମକ ଜଣେ ବ୍ୟକ୍ତି ବାହାରେ ରହି ଶ୍ରମିକ ଭାବେ କାମ କରୁଥିବା ବେଳେ ତାଙ୍କ ପତ୍ନୀ ମୟୁରୁମ ବିବି ଗର୍ଭବତୀ ଥିଲେ। ଗତକାଲି ରାତିରେ ତାଙ୍କର ପ୍ରସବ ବେଦନା ହେବାରୁ ସେ ୧୦୨ ଆମ୍ବୁଲାନ୍ସକୁ ଫୋନ କରି ଡାକ୍ତରଖାନା ଆସିଥିଲେ। ତାଙ୍କ ସାଥୀରେ ତାଙ୍କର ୧୦ ବର୍ଷର ଝିଅ ଡାକ୍ତରଖାନାକୁ ଆସିଥିଲେ। ଆମ୍ବୁଲାନ୍ସ ତାଙ୍କୁ ଆଣି ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ବେଳକୁ ସେଠାରେ ଡାକ୍ତର ନଥିବା ବେଳେ ଡ୍ୟୁଟିରେ ଥିବା ଷ୍ଟାଫନର୍ସ କରୋନା ହୋଇଛି କହି ତାଙ୍କୁ ବିଦା କରି ଦେଇଥିଲେ। ଫଳରେ ମହିଳା ଜଣଙ୍କ ଡାକ୍ତରଖାନାଠାରୁ ସୁନାଖଳା ବସଷ୍ଟାଣ୍ଡ ଦୀର୍ଘ ଏକ କିଲୋମିଟର ପ୍ରସବ ବେଦନାରେ ଚାଲି ଚାଲି ଯାଇଥିଲେ। ରାତିସାରା ମହିଳା ଜଣଙ୍କ ବସଷ୍ଟାଣ୍ଡରେ ୧୦ ବର୍ଷର ନାବାଳିକା ଝିଅ ସହ ଛଟପଟ ହେଉଥିଲେ ମଧ୍ୟ କିଛି ସହାୟତା ପାଇନଥିଲେ। ରାତି ୧୨ଟାରୁ ମହିଳା ଜଣଙ୍କ ସକାଳ ୭ଟା ପର୍ଯ୍ୟନ୍ତ ବସଷ୍ଟାଣ୍ଡରେ କଷ୍ଟ ପାଇଥିବା ବେଳେ ଆଜି ସକାଳ ୭ଟା ସମୟରେ ସେ ବସଷ୍ଟାଣ୍ଡ ନିକଟ ପାଣିଟାଙ୍କିଠାରେ ଏକ କନ୍ୟାସନ୍ତାନ ଜନ୍ମ ଦେଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ଖବରପାଇ ଘଟଣାସ୍ଥଳରେ ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଆର୍ତ୍ତତ୍ରାଣ ପ୍ରଧାନ ପହଞ୍ଚି ୧୦୮ ଆମ୍ବୁଲାନ୍ସକୁ ଫୋନ କରିବା ସହ ମହିଳାଙ୍କୁ ଉଦ୍ଧାର କରି ପୁଣିଥରେ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।