ଅଗଷ୍ଟ ୫ରେ ଅଯୋଧ୍ୟା ନଆସିବାକୁ ଭକ୍ତଙ୍କୁ ପରାମର୍ଶ

 ଅଯୋଧ୍ୟା ରାମମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ରେ ହେବାକୁ ଥିବା ଭୂମିପୂଜନରେ ଅଂଶଗ୍ରହଣ କରିବାକୁ ବ୍ୟଗ୍ର ହୁଅନ୍ତୁ ନାହିଁ ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଭକ୍ତମାନଙ୍କୁ ନିବେଦନ କରିଛନ୍ତି। ସମସ୍ତେ ଏହି ଶୁଭ ଅବସରକୁ ଘରେ ବସି ଟିଭି ମାଧ୍ୟମରେ ଉପଭୋଗ କରନ୍ତୁ ଏବଂ ସନ୍ଧ୍ୟା ସମୟରେ ହେବାକୁ ଥିବା ଦିବ୍ୟ ତଥା ଭବ୍ୟ ପ୍ରଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମକୁ ନିଜ ଘରେ ଦୀପ ଜଳାଇ ମନାନ୍ତୁ ବୋଲି ସେ କହିଛନ୍ତି। ୧୯୮୪ରେ ଆରମ୍ଭ ହୋଇଥିବା ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ଆନ୍ଦୋଳନରେ ଲକ୍ଷଲକ୍ଷ ସଂଖ୍ୟାରେ ଶ୍ରୀରାମ ଭକ୍ତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ସାମିଲ୍ ହୋଇଥିଲେ। ତେଣୁ ଅଗଷ୍ଟ ୫ରେ ହେବାକୁ ଥିବା ମନ୍ଦିରର ଭୂମିପୂଜନ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ସମସ୍ତଙ୍କ ଇଚ୍ଛା ହେବା ସ୍ୱାଭାବିକ। ତେବେ ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି ସମସ୍ତେ ସମାଜର ହିତ ପାଇଁ ଘରେ ରହି ଏହି ଉତ୍ସବକୁ ଉପଭୋଗ କରିବା ଦରକାର ବୋଲି ଶ୍ରୀ ରାୟ କହିଛନ୍ତି।