ଟିକାବାଲି,ଏନ୍ଏନ୍ଏସ୍: ଟିକାବାଲି ଥାନା ଅନ୍ତର୍ଗତ କୋଚିଲାଗଡ଼ ନିକଟସ୍ଥ ଏକ ଗୋଚର ପଡ଼ିଆରେ ଗୋରୁପୋଲ ଚରୁଥିବା ସମୟରେ ବଜ୍ରପାତରେ ୨ ବର୍ଷୀୟ ଷଣ୍ଢର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଟିପାରୀଗାଁ ନିକଟସ୍ଥ କାଲେଟିମେଣ୍ଡି ଗ୍ରାମ ବଡ୍ରେସାହିର ଶ୍ରୀ ରମେଶ ନାୟକଙ୍କ ବଳଦ ବୋଲି ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, କୋଚିଲାଗଡ଼ ନିକଟସ୍ଥ ଗୋଚର ପଡ଼ିଆରେ ଗାଈ ଗୋଠ ଚରୁଥିବା ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଷଣ୍ଢର ମୃତ୍ୟୁ ହୋଇଥିବା ଜାଣି ନିକଟସ୍ଥ ଟିକାବାଲି ପ୍ରାଣୀ ଚିକିତ୍ସକ ଅସୀମ କୁମାର ପାତ୍ରଙ୍କୁ ଷଣ୍ଢ ମାଲିକ ଖବର ଦେଇଥିଲେ । ସକାଳ ୯ଟା ୩୦ମିନିଟରେ ପ୍ରାଣୀଧନ ଚିକିତ୍ସକଙ୍କ ସହିତ ଟିମ ଯାଇ ଶବ ବ୍ୟବଛେଦ କରି ହିତାଧିକାରୀଙ୍କୁ ଶବ ହସ୍ତାନ୍ତର କରିଥିବା ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଏହାସହ ରାଜସ୍ୱ ବିଭାଗର ତଦନ୍ତ ପରେ ଅତି କମ ଦିନ ମଧ୍ୟରେ ହିତାଧିକାରୀଙ୍କୁ କ୍ଷତିପୂରଣ ମିଳିବା ପାଇଁ ପ୍ରୟାସ କରାଯିବ ବୋଲି ମଧ୍ୟ କହିଛନ୍ତି ।