ମହାରାଷ୍ଟ୍ରରେ କୋଠା ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ମୁମ୍ବାଇ,ଏଜେନ୍ସି: ସୋମବାର ଭୋର ୩ଟା ୪୫ ମିନିଟ୍‌ରେ ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଭିୱାଣ୍ଡିରେ ଏକ ତିନିମହଲା କୋଠା ଭୁଶୁଡି ପଡିଥିଲା। ପ୍ରଥମେ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ଆଉ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯାହାଦ୍ୱାରା ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ଏନ୍‌ଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରିରହିଛି। ବର୍ତ୍ତମାନ ସୁଦ୍ଧା ଏହି ଅଟ୍ଟାଳିକାର ଭଗ୍ନସ୍ତୁପ ତଳୁ ୧୦ ଜଣଙ୍କ ମୃତ ଦେହ ଉଦ୍ଧାରକାରୀ ଦଳ ବାହାର କରିଛନ୍ତି।

ସେପରି ଭଗ୍ନସ୍ତୁପ ତଳୁ ୨୦ ଜଣ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ଏବେ ବି ଅନେକ ଲୋକ ମାଟି ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ମହାରାଷ୍ଟ୍ରର ଭିୱାଣ୍ଡିରେ କୋଠା ଭୁଶୁଡ଼ିବା ଘଟଣା ବିଷୟରେ ଜାଣି ମୁଁ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।