ବଜେଟ୍ ଅଧିବେଶନ ପୁର୍ବରୁ ସଂସଦର ୪୦୦ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ,ଏଜେନ୍ସି: ବଜେଟ୍ ଅଧିବେଶନ ପୂର୍ବରୁ ୪୦୦ ରୁ ଅଧିକ ସଂସଦର କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସରକାରୀ ସୂତ୍ରରୁ ଖବର ପ୍ରକାଶ ପାଇଛି। ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ୪ ରୁ ୮ ଜାନୁୟାରୀ ମଧ୍ୟରେ ସଂସଦର ୧,୪୦୯ କର୍ମଚାରୀଙ୍କ ମଧ୍ୟରୁ ୪୦୨ ଜଣ କର୍ମଚାରୀ ସଂକ୍ରମିତ ହୋଇଥିଲେ ଏବଂ ପରେ ସେମାନଙ୍କର ନମୁନାକୁ ଜେନୋମ ସିକ୍ୟୁଏସିଂ ପାଇଁ ପଠାଯାଇଥିଲା।

ସଂସଦର କର୍ମକର୍ତ୍ତାଙ୍କ ସୂଚନା ଅନୁଯାୟୀ କର୍ମଚାରୀମାନଙ୍କୁ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଖବର ମୁତାବକ ରାଜ୍ୟସଭାରେ ୨୦୦ ଏବଂ ୬୯ ଟି ଲୋକସଭା ଏବଂ ୧୩୩ ସହଯୋଗୀ କର୍ମଚାରୀଙ୍କ ଏକ ମିଶ୍ରିତ ତାଲିକା ଅଛି।

ତେବେ ସଂସଦ ପରିସର ବାହାରେ ସଂକ୍ରମିତ ହୋଇଥିବା କର୍ମଚାରୀଙ୍କୁ ଉପରୋକ୍ତ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ସଂସଦର ଉଭୟ ଗୃହର ଅନେକ କର୍ମଚାରୀ କାମ ସମୟରେ ସେମାନଙ୍କ ସଂକ୍ରମିତ ସହକର୍ମୀଙ୍କ ସହିତ ସମ୍ପର୍କରେ ଆସିବା ପରେ ସେମାନଙ୍କୁ ଅଲଗା ରଖାଯାଇଥିଲା । ଲୋକସଭା ଓ ରାଜ୍ୟସଭାର ବିଭିନ୍ନ ଅଧିକାରୀ ମଧ୍ୟ ଅଲଗା ଅଛନ୍ତି।