ବିପଦ ବେଳେ ବିକାଶର ନୂଆ ବିଶ୍ୱାସ ନେଇ ଆସିଛି ବଜେଟ: ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍‌କୁ ଉପସ୍ଥାପିତ କରିଛନ୍ତି। ଚଳିତ ବଜେଟ୍‌ରେ ଆୟକର ସୀମାକୁ ଅପରିବର୍ତ୍ତିତ ରଖାଯାଇଥିବା ବେଳେ ଅନେକଗୁଡ଼ିଏ ନୂଆ ଘୋଷଣା ଏଥିରେ ସ୍ଥାନ ପାଇଛି। ଏହାକୁ ଭୁୟଶୀ ପ୍ରଶଂସା କରିବା ସହ ଚଳିତ ବଜେଟ୍ ୧୦୦ ବର୍ଷର ସବୁଠୁ ଭୟଙ୍କର ବିପଦ ବେଳେ ବିକାଶର ନୂଆ ବିଶ୍ୱାସ ନେଇ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରତିକ୍ରିୟାରେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବଜେଟ୍ ଦେଶର ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବା ସହିତ ସାଧାରଣ ମଣିଷଙ୍କ ପାଇଁ ଅନେକ ନୂଆ ସୁଯୋଗ ସୃଷ୍ଟି କରିବ। ଏହି ବଜେଟ୍ ଅଧିକ ଭିତ୍ତିଭୂମି, ଅଧିକ ନିବେଶ, ଅଧିକ ଅଭିବୃଦ୍ଧି ଏବଂ ଅଧିକ ଚାକିରି ସୃଷ୍ଟି ଭଳି ନୂଆ ନୂଆ ସମ୍ଭାବନାରେ ଭର୍ତ୍ତି ହୋଇଛି। ଗ୍ରୀନ୍ ଜବ୍ସ ଭଳି ଗୋଟିଏ ନୂଆ କ୍ଷେତ୍ର ଏଥର ଖୋଲିଛି। ଏହି ବଜେଟ୍ ତତ୍କାଳୀନ ଆବଶ୍ୟକତାଗୁଡ଼ିକର ସମାଧାନ କରିବା ସାଙ୍ଗକୁ ଦେଶର ଯୁବବର୍ଗଙ୍କ ଉଜ୍ୱଳ ଭବିଷ୍ୟତକୁ ମଧ୍ୟ ସୁନିଶ୍ଚିତ କରୁଛି।

ସାଧାରଣ ମଣିଷ ଏହାକୁ ନେଇ ଯେଉଁ ପ୍ରତିକ୍ରିୟା ରଖିଛନ୍ତି ତାହା ଜନତା ଜନାର୍ଦ୍ଦନଙ୍କ ସେବାଲାଗି ଆମର ଉତ୍ସାହକୁ ଅନେକ ଗୁଣରେ ବଢ଼ାଇଦେଇଛି। କିଷାନ୍ ଡ୍ରୋନ୍‌, ବନ୍ଦେ ଭାରତ ଟ୍ରେନ୍‌, ଡିଜିଟାଲ ମୁଦ୍ରା, ଡିଜିଟାଲ ବ୍ୟାଙ୍କିଂ ୟୁନିଟ୍‌, ୫ଜି ସେବା, ଜାତୀୟ ସ୍ୱାସ୍ଥ୍ୟ ପାଇଁ ଡିଜିଟାଲ ଇକୋସିଷ୍ଟମ କଥା ଚଳିତ ବଜେଟ୍‌ରେ ରହିଛି। ଏହା ଦେଶର ଦଳିତ, ପଛୁଆବର୍ଗ, କୃଷକ, ଯୁବକ, ଛାତ୍ର ସମସ୍ତଙ୍କୁ ଲାଭ ଦେବ। ଗରିବ କଲ୍ୟାଣ ହେଉଛି ଏହି ବଜେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ। ସବୁ ଗରିବଙ୍କ ପାଖରେ ପକ୍କାଘର, ପାଇପ୍ ପାଣି, ଶୌଚାଳୟ, ଗ୍ୟାସ୍ ସଂଯୋଗ ଆଦି ସୁବିଧାକୁ ସୁନିଶ୍ଚିତ କରିବା ଲାଗି ଏଥିରେ ବିଶେଷ ଧ୍ୟାନ ଦିଆଯାଇଛି। ଏଥିରେ ଆଧୁନିକ ଇଣ୍ଟରନେଟ୍ ସୁବିଧା ପାଇଁ ସେତିକି ଗୁରୁତ୍ୱ ଦିଆଯାଇଛି।

ହିମାଳୟ ଭଳି ଦେଶର ସମସ୍ତ ପାହାଡ଼ିଆ ଅଞ୍ଚଳରେ ଯେପରି ଜୀବନ ଧାରଣ ସହଜ ହେବ, ସେଥିପାଇଁ ଚଳିତ ବଜେଟ୍‌ରେ ନୂଆ ଘୋଷଣା କରାଯାଇଛି। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ କାଶ୍ମୀର, ଉତ୍ତରପୂର୍ବ ଅଞ୍ଚଳ ଏସବୁ କ୍ଷେତ୍ର ପାଇଁ ଦେଶରେ ପ୍ରଥମ କରି ପର୍ବତମାଳା ଯୋଜନାର ଶୁଭାରମ୍ଭ କରାଯାଇଛି। ସେହିଭଳି ଗଙ୍ଗା ନଦୀ ପ୍ରବାହିତ ହେଉଥିବା ରାଜ୍ୟମାନଙ୍କରେ ନଦୀ କୂଳରେ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବାପାଇଁ ଏଥର ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଗଙ୍ଗାନଦୀକୁ କେମିକାଲ ମୁକ୍ତ କରିବା ଦିଗରେ ବଡ଼ କାର୍ଯ୍ୟ ହୋଇପାରିବ। ଏହାସହ କୃଷି ଉଦ୍ୟୋଗ ବିଶେଷ କରି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ଦ୍ୱାରା କୃଷକଙ୍କ ଆୟ ବଢ଼ିବ। ଏହି ବଜେଟ୍‌କୁ ପିପୁଲ ଫ୍ରେଣ୍ଡଲି ଏବଂ ପ୍ରୋଗ୍ରେସିଭ୍ ବଜେଟ୍ କହିବା ସହ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଏବଂ ତାଙ୍କର ପୁରା ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।