ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଆଜି ସଂସଦରେ ଆଗତ କରିଥିବା ୨୦୨୨-୨୩ ବର୍ଷର କେନ୍ଦ୍ରୀୟ ବଜେଟ୍ ଐତିହାସିକ ବୋଲି ଟ୍ୱିଟ୍କରି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ବଜେଟ୍ ନୂଆ ଭାରତର ଆଶା ଓ ଆକାଂକ୍ଷାକୁ ପ୍ରତିଫଳିତ କରୁଛି। ଏହି ବଜେଟ୍ ଉତ୍ସାହଜନକ, ଭବିଷ୍ୟତବାଦୀ, ଅଭିବୃଦ୍ଧି ଭିତ୍ତିକ ଏବଂ ଲୋକାଭିମୁଖୀ ବଜେଟ୍।
ଏହି ବଜେଟ୍ରେ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ, ଇ-ବିଦ୍ୟା ଅନ୍ତର୍ଗତ ୨୦୦ ଟିଭି ଚ୍ୟାନେଲ, ସ୍କିଲିଂ ପାଇଁ ଡିଜିଟାଲ୍ ଇକୋସିଷ୍ଟମ, କିଷାନ ଡ୍ରୋନ୍, ଡ଼ିଜିଟାଲ ମୁଦ୍ରା ଭଳି ଅନେକ ପଦକ୍ଷେପ ଅମୃତ କାଳରେ ଭାରତୀୟ ଅର୍ଥନୀତିର ମୂଳଦୂଆ ନିର୍ମାଣ ଓ ବ୍ଲୁ-ପ୍ରିଣ୍ଟ୍ ସ୍ଥାପନ କରିବ। ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ, ଟେକ୍ନୋଲୋଜି ଆଧାରିତ ବିକାଶକୁ ପ୍ରୋତ୍ସାହନ ଦେବା ସହ ଆୟ ଓ ପୁଞ୍ଜିନିବେଶରେ ବୃଦ୍ଧି ଘଟାଇବ, ରୋଜଗାରକୁ ଗତି ଦେବ ଏବଂ ଇଜ୍ ଅଫ୍ ଲିଭିଂକୁ ପ୍ରାଥମିକତା ଭିତିରେ ନାଗରିକଙ୍କୁ ସଶକ୍ତ ସହ ଜନକଲ୍ୟାଣକୁ ସୁନିଶ୍ଚିତ କରିବ।
ଚିଙ୍ଗୁଡ଼ି ଚାଷକୁ ପ୍ରୋତ୍ସାହନ, ଅଙ୍ଗନବାଡ଼ିର ବିକାଶ, ପଛୁଆ ଆକାଂକ୍ଷୀ ଜିଲ୍ଲାକୁ ପ୍ରାଧାନ୍ୟ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ଓଡ଼ିଶା ଭଳି ରାଜ୍ୟ ଅଧିକ ଲାଭବାନ ହେବ। ୫ଜି ମୋବାଇଲ ସେବା, ଶତପ୍ରତିଶତ ପୋଷ୍ଟ ଅଫିସକୁ ଅତ୍ୟାଧୁନିକ କରିବା ଦ୍ୱାରା ଦେଶର ନାଗରିକଙ୍କ ଜୀବନଶୈଳି ଅଧିକ ସୁଗମ କରିବ।