ମାଲକାନଗିରି,ଏନ୍ଏନ୍ଏସ୍: ସ୍ୱାଭିମାନ ଅଞ୍ଚଳର ଗୁରୁପ୍ରିୟା ସେତୁ ନିର୍ମାଣ ହେବା ସତ୍ୱେ ମଧ୍ୟ ଯନ୍ତ୍ରୀ, ଅଣ୍ଡାପାଲ୍ଲୀ ଭଳି ବହୁ ପଞ୍ଚାୟତବାସୀ ଗମନାଗମନ ପାଇଁ ଦେଶୀ ଡଙ୍ଗା ଓ ଲଞ୍ଚ ଉପରେ ନିର୍ଭର କରୁଛନ୍ତି। କୌଣସି ସ୍ୱାସ୍ଥ୍ୟ ସମସ୍ୟା ହେଲେ ଆମ୍ବୁଲାନ୍ସ ବଦଳରେ ଦେଶୀ ଡଙ୍ଗାରେ ସେମାନେ ଡାକ୍ତରଖାନା ଆସିଥାନ୍ତି। ତେବେ ଏଭଳି ଜଣେ ଅସୁସ୍ଥ ମହିଳାଙ୍କୁ ବିଏସଏଫର ୧୪୪ ବାଟାଲିୟନ ଜବାନମାନେ ଉଦ୍ଧାର କରି ପ୍ରାଥମିକ ଚିକତ୍ସା ପରେ ଚିକିତ୍ସାଳୟକୁ ପଠାଇଥିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଆନୁସାରେ, ସ୍ୱାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତର ଦନ୍ଦରବେଡା ଗ୍ରାମର ପୂର୍ଣ୍ଣିମା ହନ୍ତାଳ ଗତ ଦୁଇଦିନ ପୂର୍ବେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଗତକାଲି ତାଙ୍କ ଦେହ ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ଏକ ଦେଶୀଡଙ୍ଗାରେ ପ୍ରାୟ ଦୁଇଘଣ୍ଟା ପରେ ଆଶା ଦିଦି ତୁଳା ଖିଲଙ୍କ ସହାୟତାରେ ଡାଇକ-୨ ଡ୍ୟାମ ପର୍ଯ୍ୟନ୍ତ ଅଣା ଯାଇଥିଲା। ତେବେ ସେଠାରୁ ମାଲକାନଗିରି ଯିବାପାଇଁ କୌଣସି ସୁବିଧା ନଥିବାରୁ ଡାଇକ-୨ରେ ମୁତୟନ ଥିବା ୧୪୪ ବିଏସଏଫ ଜବାନମାନେ ପ୍ରାଥମିକ ଚିକିତ୍ସା କରିବାପରେ ତୁରନ୍ତ ସେଠାରୁ ନବଜାତ ଶିଶୁଙ୍କ ସହ ପୂର୍ଣ୍ଣିମାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମାଲକାନଗିରି ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ରକ୍ତହିନତା ଥିବା ଜାଣିବା ପରେ ତୁରନ୍ତ ରକ୍ତ ଯୋଗାଇ ଦିଆଯାଇଛି। ତେବେ ମା ଓ ଶିଶୁ ଦୁଇଜଣ ସୁସ୍ଥ ଥିବା ବିଏସଏଫ୍ ପିଆରଓ କ୍ରିଷ୍ଣା ରାଓ ସୂଚନା ଦେଇଛନ୍ତି।