ଭଉଣୀ ଆତ୍ମହତ୍ୟା ପରେ ଜୀବନ ହାରିଲା ଧରମ ଭାଇ

ତିର୍ତ୍ତୋଲ,ଏନ୍ଏନ୍ଏସ୍: ତିର୍ତ୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁଇଟି ମୃତ ଦେହ ଦେଖିବାକୁ ମିଳିଥିଲା । ତରଜଙ୍ଗା ପଞ୍ଚାୟତର ବାଲିପାଟଣା ଗ୍ରାମର ଅକ୍ଷୟ ସାମଲଙ୍କ ସ୍ତ୍ରୀ କବିତା ସାମଲ (୩୮) ମଧ୍ୟାହ୍ନରେ ଆତ୍ମହତ୍ୟା କରିଥିବା ବେଳେ ଏଥିରେ ମ୍ରିୟମାଣ ହୋଇ ତାଙ୍କ ଧର୍ମ ଭାଇ ମଧ୍ୟ ଆତ୍ମହତ୍ୟା କରିଛନ୍ତି। କବିତାଙ୍କ ସ୍ୱାମୀ ଅକ୍ଷୟ ସାମଲଙ୍କ କହିବାନୁଯାୟୀ ସେହି ଗ୍ରାମର ବୁଲୁ ମଲ୍ଲିକ(୨୫) ହେଉଛନ୍ତି କବିତାର ଧର୍ମଭାଇ। ମଧ୍ୟାହ୍ନରେ କବିତାଙ୍କ ସ୍ୱାମୀ ରାଜମିସ୍ତ୍ରୀ କାମ କରିବାପାଇଁ ବାହାରକୁ ଯାଇଥିବାବେଳେ ବୁଲୁ ତାଙ୍କ ଘରକୁ ଆସିଥିଲା। ଏହି ସମୟରେ ବୁଲୁ ଓ କବିତାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହେବାରୁ କବିତା ଆତ୍ମହତ୍ୟା ଉଦ୍ୟମ କରିଥିଲା।

ଘଟଣାସ୍ଥଳରୁ ପରିବାର ଲୋକେ ଓ ବୁଲୁ କବିତାଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଆସିଥିଲେ। ସେଠାରେ ଡାକ୍ତର କବିତାର ମୃତ୍ୟୁ ଘୋଷଣା କରିଥିଲେ। ଏହି ଘଟଣାରେ ଅତ୍ୟନ୍ତ ମ୍ରିୟମାଣ ହୋଇପଡ଼ି ବୁଲୁ ମେଡିକାଲ କରିସରରେ ଥିବା ଷ୍ଟାଫ କ୍ୱାର୍ଟର୍ସ କାନ୍ଥରେ ଲାଗିଥିବା ଏକ ଲୁହାର ଲାଇଟ୍ ଷ୍ଟାଣ୍ଡରେ ନିଜ ଗାମୁଛାରେ ବେକରେ ଲଗାଇ ଝୁଲିପଡ଼ିଥିଲେ। ଫଳରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

ଘଟଣାସ୍ଥଳରେ ତିର୍ତ୍ତୋଲ ପୁଲିସ ଓ ସ୍ଥାନୀୟ ଅତିରିକ୍ତ ତହସିଲଦାର ମୃଣାଳିନୀ ମହାନ୍ତି ପହଞ୍ଚି ଦୁଇଟି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତିର୍ତ୍ତୋଲ ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି।