ପାଟଣାଗଡ଼,ଏନ୍ଏନ୍ଏସ୍: ଆଜି ପାଟଣାଗଡ଼ ବ୍ଲକ୍ କେନ୍ଦୁମୁଣ୍ଡି ପଞ୍ଚାୟତ ଫୁଡକୁପଡା ଗାଁ’ରେ ଜମି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଜୋରସୋରରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍କ୍ଷୀପ୍ତ ହୋଇ ଭାଇ ସମ୍ପର୍କୀୟ ଭାଇର ହାତକୁ ଟାଙ୍ଗିଆରେ କାଟିଦେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଆଜି ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡା ହୋଇଥିଲା। ସନ୍ତୋଷ ଧରୁଆ ଓ ତାଙ୍କ ପୁଅ ନବୀନ ଧରୁଆ ନିଜ ଜମି ଚାଷ କରୁଥିବା ସମୟରେ ତାଙ୍କ ସମ୍ପର୍କୀୟ ଭାଇ କଳାକାହ୍ନୁ ମାଝୀ, ଡିଲେ ମାଝୀ, ଚମାର ମାଝୀ ଓ ଅନନ୍ତ ମାଝୀ ପହଞ୍ଚି ଥିଲେ। ଏହା ପରେ ସେମାନେ ଆତର୍କିତ ଭାବରେ ଟାଙ୍ଗିଆରେ ସନ୍ତୋଷ ଉପରକୁ ଆକ୍ରମଣ କରିଥିଲେ। କଳାକାହ୍ନୁ, ଡିଲେ, ଚମାର ଓ ଅନନ୍ତ ୪ ଜଣ ମିଶି ସନ୍ତୋଷକୁ ଯାବୁଡି ଧରି ଟାଙ୍ଗିଆରେ ତାର ଡାହାଣ ହାତ କାଟି ଦେଇଥିଲେ।
ଘଟଣାସ୍ଥଳରୁ ପରିବାର ଲୋକେ ସନ୍ତୋଷଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନକୁ ଆଣିଥିଲେ। ସେଠାରେ ସନ୍ତୋଷଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣାରେ ପୁଲିସ ଡିଲେ ମାଝୀ, କଳାକାହ୍ନୁ ମାଝୀ, ଅନନ୍ତ ମାଝୀ ଓ ଚମାର ମାଝୀକୁ ଅଟକ ରଖି ପଚରାଉଚୁରା କରୁଥିବା ଥାନାଅଧିକାରୀ ଅନନ୍ତ ପଧନ ସୂଚନା ଦେଇଛନ୍ତିି। ସନ୍ତୋଷକୁ ଅଧିକ ଚିକିତ୍ସା ପାଇଁ ବଲାଙ୍ଗିର ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।