ସିଡିଏସଙ୍କ ବିୟୋଗରେ ବ୍ରିଟିଶ ଓ ଶ୍ରୀଲଙ୍କା ହାଇ କମିଶନରଙ୍କ ଶୋକବାର୍ତ୍ତା

ନୂଆଦିଲ୍ଲୀ: ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି। କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ଶୋକର ବାର୍ତ୍ତା ଆସୁଛି। ଏହି ପରିପ୍ରେକ୍ଷୀରେ ବ୍ରିଟିଶ ହାଇ କମିଶନର ଏଲେକ୍ସ ଏଲିସ କହିଛନ୍ତି ଯେ, ଅବିଶ୍ୱସନୀୟ ରୂପରେ ଏହା ଏକ ଦୁଃଖଦ ଘଟଣା। ଜେନେରାଲ ବିପିନ ରାୱତ ଏମିତି ଜଣେ ବ୍ୟକ୍ତିତ୍ୱ ଥିଲେ ଯିଏକି ସୁରକ୍ଷା କ୍ଷେତ୍ରରେ ଭାରତ ଓ ୟୁକେର ସମ୍ବନ୍ଧକୁ ଭଲ କରିବା ପାଇଁ ଖୁବ୍ ପରିଶ୍ରମ କରିଥିଲେ। ସୁରକ୍ଷା କ୍ଷେତ୍ରରେ ସେ ସଂଯୁକ୍ତ ରକ୍ଷା ଦୃଷ୍ଟିକୋଣ ଆରମ୍ଭ କରିଥିଲେ ଯାହାକୁ ଆମେ ୟୁକେରେ ପାଳନ କରୁଛୁ। ଆଉ ଭାରତରେ ସେ ସେହି ଦୃଷ୍ଟିକୋଣର ନେତୃତ୍ୱ କରୁଥିଲେ। ଜେନେରାଲ ରାୱତଙ୍କ ଭଳି ଜଣେ ମହାନ ନେତା, ସୈନିକ ଓ ଭଲ ମଣିଷକୁ ହରାଇବା ଭାରତ ପାଇଁ ଏକ ଅପୂରଣୀୟ କ୍ଷତି।

ସେହିପରି ଶ୍ରୀଲଙ୍କା ହାଇ କମିଶନର ମିଲିଣ୍ଡା ମୋରାଗୋଡ଼ା କହିଛନ୍ତି ଯେ, ବିପିନ ରାୱତଙ୍କ ନିଧନ ବାସ୍ତବିକ ରୂପରେ ଏକ ବଡ଼ ଅଘଟଣ। ଆମ ରାଷ୍ଟ୍ରପତି ସିଡିଏସଙ୍କ ଅନ୍ତିମ ବିଦାୟ ପାଇଁ ନିଜ ଦୂତ ରୂପେ ଶ୍ରୀଲଙ୍କାର ସିଡିଏସ ଓ ଆର୍ମି କମାଣ୍ଡଙ୍କୁ ପଠାଇଛନ୍ତି। ଆମ ହୃଦୟ ଭାଙ୍ଗିଯାଇଛି। ଆମ ସେନାର ଅନେକ ବରିଷ୍ଠ କର୍ମୀ ତାଙ୍କୁ ଭଲ ଭାବେ ଜାଣିଛନ୍ତି। ସେ ଶ୍ରୀଲଙ୍କାର ମିତ୍ର ଥିଲେ।