ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଭିଡିଓ ଜାରି କରି ବୋରିସ ଜନସନ ଭାରତକୁ ନିଜର ହୃଦୟ ଅତି ନିକଟ ଦେଶ କହିବା ସହ ଭାରତୀୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଏହା ସହ ଦୁଇ ଦେଶ କୋରୋନା ଟିକାର ବିକାଶ, ଉତ୍ପାଦନ ଓ ଯୋଗାଣ କାର୍ଯ୍ୟ କରୁଛି। ଏଥିସହ ସେ କହିଛନ୍ତି କି ବ୍ରିଟେନ, ଭାରତ ଏବଂ ଅନ୍ୟାନ୍ୟ ରାଷ୍ଟ୍ରର ମିଳିତ ପ୍ରୟାସ ଯୋଗୁଁ ଏବେ କୋଭିଡ ବିରୋଧରେ ସଫଳତା ପଥରେ ଅଛୁ। ଏହା ସହ ସେ ଚଳିତ ବର୍ଷର ଶେଷ ଭାଗରେ ଭାରତ ଗସ୍ତ କରିପାରନ୍ତି ବୋଲି କହିଛନ୍ତି। ଦୁଇ ଦେଶ ମଧ୍ୟରେ ବନ୍ଧୁତାକୁ ବଢାଇବାକୁ ସେ ଓ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶୃତିବଦ୍ଧ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଦେଶରେ ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ବ୍ରିଟିସ ପିଏମଙ୍କୁ ଆମନ୍ତ୍ରଣ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରି ଭାରତ ଆସିବେ ବୋଲି ଜଣାଇଥିଲେ। ହେଲେ ପର ମୁହୂର୍ତ୍ତରେ ବ୍ରିଟେନରେ କୋଭିଡର ନୂଆ ଷ୍ଟ୍ରେନ ବ୍ୟାପିବାରୁ ସେ ଭାରତ ଗସ୍ତ ରଦ୍ଦ କରିଥିଲେ। ତେବେ ୫୫ ବର୍ଷ ପରେ ପ୍ରଥମ ଥର ବିଦେଶୀ ଅତିଥିଙ୍କ ଅନୁପସ୍ଥିତିରେ ଜାତୀୟ ଉତ୍ସବ ପାଳନ କରାଯାଇଛି।