ଭୁବନେଶ୍ବର,ଏନ୍ଏନ୍ଏସ୍: ବେଙ୍ଗାଲୁରୁରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ଆରମ୍ଭ ହୋଇଯାଇଛି। ବିଶ୍ବ ବିଦ୍ୟାଳୟ କ୍ରୀଡାରେ ରାଜ୍ୟରୁ ପ୍ରଥମ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ସ୍ନେହା ସୋରେନ। ପ୍ରଥମ ଦିନରେ ଭାରତ୍ତୋଳନରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡିଶାର ସ୍ନେହା ସୋରେନ। ସ୍ନେହା କିଟ ବିଶ୍ବବିଦ୍ୟାଳୟ ପକ୍ଷରୁ ଖେଲୋ ଇଣ୍ଡିଆ ବିଶ୍ବ ବିଦ୍ୟାଳୟ କ୍ରୀଡାରେ ଭାଗ ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ନେହାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ପ୍ରମିଳା କିଷାନୀ ରୌପ୍ୟ ଓ ପୁରୁଷରେ ରାଜେନ୍ଦ୍ର ମୁଦୁଲି ବ୍ରୋଞ୍ଚ ପଦକ ହାସଲ କରିଛନ୍ତି।
ସ୍ନେହା ମହିଳା ୪୯ କିଲୋ ବର୍ଗରେ ପ୍ରତିନ୍ଦ୍ବନ୍ଦିତା କରିଥିଲେ। ସ୍ନାଚରେ ୬୯ କିଲୋ ଓ କ୍ଲିନ ଏଣ୍ଡ ଜର୍କରେ ୯୨ କିଲୋ ସହ ମୋଟ ୧୬୧ କିଲୋ ଭାରତ୍ତୋଳନ କରି ପ୍ରଥମ ସ୍ଥାନ ହାସଲ କରିଥିଲେ । ପୂର୍ବରୁ ଭୁବନେଶ୍ବରରେ ଆୟୋଜିତ ଭାରୋତ୍ତୋଳନ ଚାମ୍ପିଅନସିପରେ ବ୍ରୋଞ୍ଚ ପଦକ ହାସଲ କରି ନିଜ ପ୍ରତିଭାର ପରିଚୟ ଦେଇଥିଲେ। ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ସ୍ନେହା ତୁମ ସଫଳତା ପାଇଁ ଅଭିନନ୍ଦନ। ଭବିଷ୍ୟତରେ ଆହୁରି ସଫଳ ହୁଅ, ସେଥିପାଇଁ ଶୁଭେଚ୍ଛା। ସେହିପଟି ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟରୁ ପ୍ରତିନିଧିତ୍ବ କରି ମହିଳା ୫୫ କିଲୋ ଓଜନ ବର୍ଗରେ ପ୍ରମିଳା ରୌପ୍ୟ ପଦକ ଜିତିଛନ୍ତି। ସେ ସ୍ନାଚରେ ୭୧, ଏବଂ କ୍ଲିନ ଏଣ୍ଡ ଜର୍କରେ ୯୫ କିଲୋ ଓଜନ ଭାରତ୍ତୋଳନ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି। କିଟ ବିଶ୍ବବିଦ୍ୟାଳୟରୁ ପୁରୁଷ ୯୧ କିଲୋ ଓଜନ ବର୍ଗରେ ରାଜେନ୍ଦ୍ର ମୋଟ ୨୩୮ କିଲୋ ଉତ୍ତୋଳନ କରି ବ୍ରୋଞ୍ଚ ଜିତିଛନ୍ତି। ସେ ସ୍ନାଚରେ ୧୦୮ ଏବଂ କ୍ଲିନ ଏଣ୍ଡ ଜର୍କରେ ୧୩୦ କିଲୋ ଉଠାଇଥିଲେ।