ଅବହେଳିତ ବ୍ରହ୍ମକ୍ଷେତ୍ର : ପର୍ଯ୍ୟଟନର ମାନ୍ୟତା ନାହିଁ କି ହେଉନି ଭିତ୍ତିଭୂମିର ବିକାଶ

କେନ୍ଦୁପାଟଣା, ଏନ୍ଏନ୍ଏସ୍: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁରରେ ଥିବା ଶ୍ରୀ ବଳଦେବଜିଉଙ୍କ ପୀଠ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। କିମ୍ବଦନ୍ତୀ ଅନୁଯାୟୀ ପାଞ୍ଚଶହ ବର୍ଷ ତଳେ ଜଗନ୍ନାଥ ସଂସ୍କୃତିର ପ୍ରାଣକେନ୍ଦ୍ର ମହାପ୍ରଭୁଙ୍କ ‘ବ୍ରହ୍ମ’ ରକ୍ଷା ପାଇଁ ସୁରକ୍ଷିତ ସ୍ଥାନ ଭାବେ ପ୍ରସିଦ୍ଧି ଲାଭ କରିଥିବା ଏହି ପୀଠକୁ ରାଜ୍ୟ ସଂସ୍କୃତି ବିଭାଗ ଅଣଦେଖା କରିଥିବାରୁ ଜଗନ୍ନାଥପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ପୀଠରେ ପୁରୀ ଶ୍ରୀକ୍ଷେତ୍ର ଭଳି ସମସ୍ତ ଭିତ୍ତିଭୂମି ରହିଥିବା ବେଳେ ଅର୍ଥ ଅଭାବରୁ ରକ୍ଷଣାବେକ୍ଷଣ ହୋଇପାରୁନାହିଁ। ଏହା ଦେବୋତ୍ତର ବିଭାଗକୁ ହସ୍ତାନ୍ତର କରାଯାଇଥିଲେ ମଧ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ କୌଣସି ବିକାଶମୂଳକ କାର୍ଯ୍ୟ ହୋଇପାରୁନଥିବା ଶ୍ରୀ ବଳଦେବଜୀଉ ପରିଚାଳନା ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି।

ଅନ୍ୟପକ୍ଷରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ପଦକ୍ଷେପ ନେବାକୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଜିଲ୍ଲାପାଳଙ୍କୁ ନିବେଦନ କରୁଛୁ ବୋଲି ଧୀରେନ୍ଦ୍ରନାଥ ବେହେରା କହିଛନ୍ତି। ସେହିପରି ଉକ୍ତ ପୀଠଟି ଅବହେଳିତ ଅବସ୍ଥାରେ ପଡିଥିବା ବେଳେ ଏହାକୁ ବିକାଶ କରିବା ଏବଂ ପ୍ରଚାର ପ୍ରସାର କରିବା ନିତାନ୍ତ ଆବଶ୍ୟକ। ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଗଲେ ଅଧିକ ସଂଖ୍ୟାରେ ଭକ୍ତମାନେ ଏଠାକୁ ଆସିବା ସହିତ ଶ୍ରୀ ଜିଉଙ୍କର ମାହାତ୍ମ୍ୟ ବଢି ପାରନ୍ତା ବୋଲି ଜଗନ୍ନାଥପ୍ରେମୀ ଭକ୍ତ ରାଜେଶ କୁମାର ସାହୁ କହିଛନ୍ତି।