ବ୍ରହ୍ମପୁର ବଡ ମେଡିକାଲର ଡାକ୍ତର, ଷ୍ଟାଫ୍ନର୍ସ କରୋନା ପଜିଟିଭ !

ବ୍ରହ୍ମପୁର,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ବ୍ରହ୍ମପୁର ସହରର ସ୍ଥିତି ବର୍ତ୍ତମାନ ଗମ୍ଭୀର ହୋଇଛି। ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇ ସହର ଏବଂ ଡାକ୍ତରମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗତକାଲି ବ୍ରହ୍ମପୁର ବଡମେଡିକାଲର କିଛି ଡାକ୍ତର ଏବଂ ଷ୍ଟାଫ୍ ନର୍ସଙ୍କ ଠାରେ କରୋନା ପଜିଟିଭ ଲକ୍ଷଣ ଦେଖାଯିବା ପରେ ଏହାକୁ ନେଇ ସହରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ବ୍ୟତୀତ ବଡ଼ ମେଡିକାଲରେ ଡାକ୍ତରମାନଙ୍କ ମଧ୍ୟରେ ମଧ୍ୟ ଛନକା ପଶିଯାଇଥିବା ପରିଲକ୍ଷିତ ହୋଇଛି। କେଉଁ ୱାର୍ଡର ଏବଂ କେଉଁ ଡାକ୍ତରମାନଙ୍କର ପଜିଟିଭ ଆସିଛି ସେ ନେଇ ଆଲୋଚନା ମଧ୍ୟ ହୋଇଥିଲା। ରାତିରେ ବଡ଼ ମେଡିକାଲର କିଛି ରୋଗୀଙ୍କୁ ମଧ୍ୟ ଅନ୍ୟ କୋଠାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ଏହି ସମୟ ମଧ୍ୟରେ ଗତକାଲି କିଛି ଘଣ୍ଟା ମଧ୍ୟରେ ୫ଟି ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସମସ୍ତ ଶିଶୁକୁ ସୁସ୍ଥ ରହିଥିବା କୁହାଯାଇଥିଲେ ବି ସେମାନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଏହି ଘଟଣା ଘଟିବା ପରେ ଆଜି ବଡ ମେଡିକାଲର ପିଜି ଛାତ୍ର ଏବଂ ହାଉସ୍ ସର୍ଜନମାନେ ଏକାଠି ହୋଇ କଲେଜରେ ବସି ବୈଠକ କରିଥିବା ଜଣାପଡିଛି। ସେମାନଙ୍କୁ କରୋନା ଯୋଦ୍ଧା ଭାବେ ବିବେଚିତ କରାଯାଉଥିଲେ ମଧ୍ୟ ସେମାନଙ୍କୁ ସଂକ୍ରମଣରୁ ସୁରକ୍ଷା ଯୋଗାଇବା ପାଇଁ ଆବଶ୍ୟକୀୟ ସରଞ୍ଜାମ ଦିଆଯାଉନଥିବା ସହ ସେମାନଙ୍କୁ ସଠିକ୍ ସୁବିଧା ଦିଆଯାଉନଥିବା ଅଭିଯୋଗ କରିଛନ୍ତି । ଅନୁଷ୍ଠିତ ବୈଠକରେ ସେମାନେ କିଛି ଦାବି ରଖିବା ସହ ଗାଇନିକ, ସର୍ଜରୀ ଏବଂ ଅସ୍ଥିଶଲ୍ୟ ବିଭାଗର ଓଟିକୁ ୫ ଦିନ ବନ୍ଦ କରିବା ପାଇଁ ଜଣାଇଛନ୍ତି।

ଯେଉଁ ରୋଗୀମାନେ କରୋନା ସନ୍ଦିଗ୍ଧ ଭାବେ କିମ୍ବା ଥଣ୍ଡା, କାସ ଏବଂ ଜ୍ୱର ଥାଇ ମେଡିକାଲ ଆସନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଫ୍ଲୁ କ୍ଲିନିକର ବ୍ୟବସ୍ଥା କରାଯିବା, ଏମର୍ଜେନ୍ସି ଟିମ୍ର ସମସ୍ତ ସଦସ୍ୟଙ୍କ ସ୍ୱାବ୍ ଟେଷ୍ଟ ବାଧ୍ୟତାମୂଳକ କରିବା, ପଜିଟିଭ ଡାକ୍ତର ଏବଂ ପଜିଟିଭ ଷ୍ଟାଫମାନଙ୍କୁ ୧୪ ଦିନ ପାଇଁ କ୍ୱାରେନଟାଇନରେ ରଖିବା, ପିଏମଏସୱାଇ କୋଠାକୁ ଡାକ୍ତରମାନଙ୍କୁ ଏମର୍ଜେନ୍ସି ପାଇଁ ରଖାଯିବା ଆଦି ଦାବି ମେଡିକାଲ ଅଧିକ୍ଷକ ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ରଙ୍କୁ ଜଣାଇଛନ୍ତି। ଡାକ୍ତରମାନେ ଯଦି କରୋନା ପଜିଟିଭ୍ ହୁଅନ୍ତି ତେବେ ସେମାନଙ୍କ ଉତ୍କୃଷ୍ଟ ଚିକିତ୍ସା ଦେବା ପାଇଁ କଟକ ପଠାଯିବା ନେଇ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ୮ଜଣ ଷ୍ଟାଫନର୍ସ ଏବଂ ୪ଜଣ ଡାକ୍ତର କରୋନା ପଜିଟିଭ ହୋଇଛନ୍ତି। ଏଥିପାଇଁ ଡାକ୍ତରମାନେ ଏହି ଦାବି କରିଥିବା ନେଇ ମେଡିକାଲ ଅଧିକ୍ଷକ ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି। ବଡ ମେଡିକାଲରେ ବର୍ତ୍ତମାନ ସ୍ଥିତି ଗମ୍ଭୀର ଥିବା ବେଳେ ଡାକ୍ତରମାନଙ୍କୁ ଯଦି ଏହିପରି ପଜିଟିଭ ବାହାରେ ତେବେ ରୋଗୀ ସେବାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇପାରେ ବୋଲି ଡାକ୍ତର ମିଶ୍ର ଆଶଙ୍କା ପ୍ରକାଶ କରିଛନ୍ତି।

ସୂଚନାଥାଉକି ପୂର୍ବରୁ ସିଟି ହସପିଟାଲର ଜଣେ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।