ମହିଳା ଆଇନଜୀବୀ ଦୀପାଳି ମୃତ୍ୟୁ ଘଟଣା: ଆତ୍ମସମର୍ପଣ କଲେ ପୁରୁଷବନ୍ଧୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶନୀ ଜେନାଙ୍କ ଆତ୍ମହତ୍ୟା ମାମଲାରେ ଫେରାର ଥିବା ପୁରୁଷ ବନ୍ଧୁ ବିକ୍ରମ ମିଶ୍ର କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପରେ କୋର୍ଟରେ ନିଜକୁ ନିର୍ଦ୍ଦୋଷ ଦର୍ଶାଇ ଜାମିନ ଆବେଦନ କରିଥିଲେ। ମାନ୍ୟବର କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଜାମିନ ଖାରଜ ହେବା ପରେ ତାଙ୍କୁ ଝାରପଡ଼ା ଜେଲର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ମଙ୍ଗଳବାର ଅପରାହ୍ଣରେ ବିକ୍ରମ ଆସିବା ଜାଣିପାରି କୋର୍ଟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଲାଗିଥିଲା। କିନ୍ତୁ ଗଣମାଧ୍ୟମକୁ ଚକମା ଦେଇ ବିକ୍ରମ କୋର୍ଟର ମୁଖ୍ୟ ଦ୍ୱାରରେ ପ୍ରବେଶ ନ କରି ସାଇଡ୍ ଫାଟକରେ ଭିତରକୁ ପ୍ରବେଶ କରିଥିଲେ। ଯେହେତୁ ଦୀପାଳି ଭୁବନେଶ୍ୱର କୋର୍ଟରେ ଜଣେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିଲେ। ତେଣୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ ଅଭିଯୁକ୍ତ ପୁରୁଷ ବନ୍ଧୁ କୋର୍ଟରେ ହାଜର ହେଉଥିବା ଜାଣି ଆଇନଜୀବୀମାନେ କ୍ଷୋଭ ପ୍ରକାଶ କରିଥିଲେ। କୋର୍ଟରେ ହାଜର ହୋଇ ଫେରିବା ବେଳେ ଓକିଲମାନେ ବିକ୍ରମଙ୍କୁ ଗାଳିଗୁଲଜ କରିବା ସହ ଟଣାଓଟରା କରିଥିଲେ। କୋର୍ଟ ପରିସରରେ ଆଇନଶୃଙ୍ଖଳା ପରିସ୍ଥିତ ସୃଷ୍ଟି ହେବା ସମ୍ଭାବନା ଥିବାରୁ ପୁଲିସ କଡ଼ା ସୁରକ୍ଷା ମଧ୍ୟରେ ବିକ୍ରମଙ୍କୁ ବାହାରକୁ ନେଇଯାଇଥିଲା। ତଥାପି ଓକିଲମାନେ ତାଙ୍କ ପିଛା କରି ହୋହଲ୍ଲା କରିଥିଲେ।

ତେବେ ଦୀପାଳିଙ୍କ ମୃତ୍ୟୁ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଧଉଳି ଥାନା ପୁଲିସ ବିକ୍ରମଙ୍କୁ ରିମାଣ୍ଡରେ ଆଣିବ ବୋଲି ଥାନା ଅଧିକାରୀ ଜୟଦେବ ବିଶ୍ୱଜିତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଦିପାଳୀ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ସେ କାହିଁକି ଆତ୍ମହତ୍ୟା କରିଥିଲେ, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ। ତେଣୁ ବିକ୍ରମକୁ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ଘଟଣାର ରହସ୍ୟ ଖୋଲିବ ବୋଲି ପୁଲିସ ଆଶା ରଖିଛି।

ସୂଚନା ଅନୁଯାୟୀ, ଧଉଳି ଥାନା ନିକଟସ୍ଥ ବିଜୟ ବିହାରରେ ଦୀପାଳି ପ୍ରିୟଦର୍ଶିନୀ ଜେନା ଏକ ଘର ଭଡ଼ା ନେଇ ରହିବା ସହ ଭୁବନେଶ୍ୱର କୋର୍ଟରେ ଓକିଲାତି କରୁଥିଲେ। ସେ ତାଙ୍କ ସାନ ଭଉଣୀ ସହ ଗତ ଗଣେଶ ପୂଜାଠାରୁ ଏଠାରେ ଭଡ଼ାରେ ରହି ଆସୁଥିଲେ। ଗତ ଅକ୍ଟୋବର ୨୦ତାରିଖରେ ଶେଫାଳି ତାଙ୍କର ଜଣେ ବାନ୍ଧବୀଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଦୀପାଳି ରାତିରେ ବାଲେଶ୍ୱର ଜିଲ୍ଲା ବାଲିଖଣ୍ଡ ଶିମୁଳିଆ ଗ୍ରାମର ତାଙ୍କ ପୁରୁଷ ବନ୍ଧୁ ବିକ୍ରମ କେଶରୀ ମିଶ୍ରଙ୍କ ସହ ଘରେ ଏକାଠି ରହିଥିଲେ। ବିଳମ୍ବିତ ରାତିରେ ବିକ୍ରମ ଦୀପାଳିଙ୍କ ସାନଭଉଣୀଙ୍କୁ ଫୋନ୍‍ କରିଥିଲେ। ଫୋନରେ କହିଥିଲେ ଯେ, ଦୀପାଳି ଘରର ଭିତର ପଟୁ କବାଟ ବନ୍ଦ କରିଦେଇଛନ୍ତି। ଡାକିଲେ ମଧ୍ୟ ଖୋଲୁନାହିଁ। ପରେ ବିକ୍ରମ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ରାତିରେ ଖବର ପାଇବା ପରେ ଶେଫାଳି ତାଙ୍କ ବାନ୍ଧବୀଙ୍କ ସହ ଘରେ ପହଞ୍ଚ ଧଉଳି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚ କବାଟ ଖୋଲି ଦେଖିବା ବେଳକୁ ଦୀପାଳି ଏକ ଓଢ଼ଣି ସାହାଯ୍ୟରେ ପଙ୍ଖାରେ ଝୁଲିପଡ଼ିଥିଲେ। ତାଙ୍କ ମୁହଁରୁ ରକ୍ତ ବାହାରିବା ସହ ପାଦ ଦୁଇଟି ତଳେ ଲାଗିଥିଲା। ଦୀପାଳିଙ୍କ ସହ ରାତିରେ କୌଣସି କାରଣକୁ ନେଇ ବିକ୍ରମଙ୍କ ପାଟିତୁଣ୍ଡ ହୋଇଥିବା ପରେ ଦୀପାଳି ଏପରି ପଦକ୍ଷେପ ଗ୍ରହଣ କରିଥିବା ପୁଲିସ ସନ୍ଦେହ କରିଥିଲା। ଏମିତିକି ତାଙ୍କ ମୃତଦେହ ନିକଟରୁ ମଦ ବୋତଲ, ପୋଡ଼ା ସିଗାରେଟ ମିଳିଥିଲା।