ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ସୁନନ୍ଦା ସମ୍ମାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ୱନାମଧନ୍ୟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଡଃ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ସୁନନ୍ଦା ସମ୍ମାନ ଏବଂ ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ସଙ୍ଗୀତଜ୍ଞ ଡଃ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ଆସନ୍ତାକାଲି ସନ୍ଧ୍ୟାରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ସହଯୋଗରେ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଶୋକସଭା(ସୁନନ୍ଦା ସ୍ମୃତି ଓ ସଙ୍ଗୀତ ସନ୍ଧ୍ୟା) ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଠାରେ ଅନୁଷ୍ଠିତ ହେବ ।

ତାଙ୍କ ଅମ୍ଲାନ ସ୍ମୃତିରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ ସଂଗୀତରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ରାଜ୍ୟର ଜଣେ ବିଶିଷ୍ଟ ସଙ୍ଗୀତଜ୍ଞଙ୍କୁ ସୁନନ୍ଦା ସମ୍ମାନ ପ୍ରଦାନ କରାଯିବ । ଶାସ୍ତ୍ରୀୟ ସଙ୍ଗୀତରେ ଉଚ୍ଚତର ଗବେଷଣା ଓ ଶିକ୍ଷାପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର ପ୍ରତିଷ୍ଠା କରାଯିବ । ପୁରୀ ଓ କଟକରେ ଥିବା ତାଙ୍କ ବାସଭବନକୁ ତାଙ୍କ ପରିବାରର ଲୋକଙ୍କ ଅନୁମତିକ୍ରମେ ସ୍ମୃତି ସଦନ ଭାବରେ ବିକଶିତ କରାଯିବ ।

ସ୍ୱର୍ଗତ ଡଃ ସୁନନ୍ଦା ପଟ୍ଟନାୟକଙ୍କ ଦ୍ୱାରା ବ୍ୟବହୃତ ବାଦ୍ୟଯନ୍ତ୍ର ଏବଂ ଅନ୍ୟାନ୍ୟ ଜିନିଷକୁ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଗ୍ୟାଲେରୀରେ ସଂରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରାଯିବ । ତେଣୁ ସ୍ୱର୍ଗତ ପଟ୍ଟନାୟକଙ୍କ ବ୍ୟବହୃତ ଜିନିଷକୁ ଦାନ କରିବା ପାଇଁ ତାଙ୍କ ପରିବାରର ଲୋକଙ୍କୁ ଅନୁରୋଧ କରାଯିବ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିବର୍ଷ ସ୍ୱର୍ଗତ ସୁନନ୍ଦା ପଟ୍ଟନାୟକଙ୍କ ଜୟନ୍ତୀ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପାଳନ କରାଯିବ ।