ପ୍ରତ୍ୟେକ ରାଷ୍ଟ୍ରର ସୀମା ତଥା ସାର୍ବଭୌମତ୍ୱକୁ ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ: ଏସ୍ ଜୟଶଙ୍କର

ନୂଆଦିଲ୍ଲୀ,ଏଜେନ୍ସି: ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍‍. ଜୟଶଙ୍କର ପଞ୍ଚଦଶ ପୂର୍ବ-ଏସୀୟ ରାଷ୍ଟ୍ର ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଆସିଆନର ଅଧ୍ୟକ୍ଷ ତଥା ଭିଏତନାମ୍‍ ପ୍ରଧାନମନ୍ତ୍ରୀ ଗୁଏନ୍‍ ଜୋଆନ୍‍ ଫୁକ୍‍ ଏହି ବୈଠକରେ ସଭାପତିତ୍ୱ କରିଥିଲେ। ଏହି ବୈଠକରେ ୧୮ଟି ପୂର୍ବ-ଏସୀୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଏସ୍ ଜୟଶଙ୍କର ପୂର୍ବ-ଏସୀୟ ରାଷ୍ଟ୍ର ସମ୍ମିଳନୀର ଆବଶ୍ୟକତା ଏବଂ ଏହାର ଆଭିମୁଖ୍ୟ ସମ୍ପର୍କରେ ମତ ଦେଇଥିଲେ। ଅନ୍ତର୍ଜାତୀୟ ଆଇନକୁ ପାଳନ କରିବା ଏବଂ ପ୍ରତ୍ୟେକ ରାଷ୍ଟ୍ରର ସୀମା ତଥା ସାର୍ବଭୌମତ୍ୱକୁ ସମ୍ମାନ ପ୍ରଦର୍ଶନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଶ୍ରୀ ଜୟଶଙ୍କର। ଏଥିସହିତ ଭାରତରେ କୋଭିଡ୍‍-୧୯ର ମୁକାବିଲା କରିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ପୂର୍ବ-ଏସୀୟ ରାଷ୍ଟ୍ର ପ୍ରତିନିଧିଙ୍କୁ ଅବଗତ କରାଇଥିଲେ।

ଏହି ଅବସରରେ ଶ୍ରୀ ଜୟଶଙ୍କର ବିଭିନ୍ନ ରାଷ୍ଟ୍ରକୁ କୋଭିଡ୍‍-୧୯ ପ୍ରତିଷେଧକ ଟିକା ଉପଲବ୍ଧ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଥିଲେ। ସେହିପରି ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଉନ୍ନତି ତଥା ସେଠାରେ ଶାନ୍ତି ପ୍ରତିଷ୍ଠା ଲାଗି ନିଆଯାଉଥିବା ଉଦ୍ୟମକୁ ଭାରତ ସମର୍ଥନ କରେ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ବିଭିନ୍ନ କ୍ଷେତ୍ର ଲାଗି ଜାତିସଂଘ ପକ୍ଷରୁ ଗ୍ରହଣ କରାଯାଇଥିବା ନିୟମାବଳୀକୁ ସବୁ ରାଷ୍ଟ୍ର ସମ୍ମାନର ସହ ପାଳନ କରିବା ଲାଗି ଶ୍ରୀ ଜୟଶଙ୍କର କହିଥିଲେ। ସେ କହିଛନ୍ତି, ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଏବଂ ମହାମାରୀ ଭଳି ବିଭିନ୍ନ କ୍ଷେତ୍ରରେ ସବୁ ରାଷ୍ଟ୍ର ଏକାଠି ହୋଇ କାର୍ଯ୍ୟ କରିବା ଉଚିତ।