‘ଉଦ୍ଭିଦ ବିଜ୍ଞାନୀ ସଙ୍ଘର’ ପ୍ରଥମ ପୁରାତନ ବିଦ୍ୟାର୍ଥୀ ସମ୍ମେଳନ, ଏସ୍‌ସିଏସ୍ କଲେଜ୍‌ର ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ

- ମୋ’ କଲେଜ ଅଭିଯାନ ପାଇଁ ପାଣ୍ଠି ସଂଗ୍ରହ ହେବ - ପୁରାତନ ବିଦ୍ୟାର୍ଥୀ ସଙ୍ଘର ପଦାଧିକାରୀ ମନୋନିତ

ପୁରୀ,ଏନ୍ଏନ୍ଏସ୍: ସାମନ୍ତ ଚନ୍ଦ୍ରଶେଖର ସ୍ୱଂୟଶାସିତ ମହାବିଦ୍ୟାଳୟ(ଏସ୍‌ସିଏସ୍‌)ର ଉଦ୍ଭିଦ ବିଜ୍ଞାନୀ ସଂଘର ପ୍ରଥମ ‘ପୁରାତନ ବିଦ୍ୟାର୍ଥୀ ସମ୍ମେଳନ’ ରବିବାର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ କକ୍ଷରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ପୁରାତନ ଛାତ୍ର ତଥା ଅବସରପ୍ରାପ୍ତ ଅଧ୍ୟାପକ ବାମନ ଚନ୍ଦ୍ର ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଥିଲେ, ଏହି ମହାବିଦ୍ୟାଳୟ ଆମକୁ ପରିଚୟ ଦେଇଛି। ଆଗକୁ ବଢ଼ିବାର ଦିଶା ଦେଖାଇଛି। ଯେତେ ଉଚ୍ଚପଦବୀକୁ ଗଲେ ବି ନିଜ କଲେଜ ଏବଂ ବିଭାଗକୁ କେବେ ଭୁଲିହେବନାହିଁ। ଆଗକୁ କେମିତି କଲେଜର ଉନ୍ନତି ହେବ ସେନେଇ ପୁରାତନ ବିଦ୍ୟାର୍ଥୀମାନଙ୍କ ପକ୍ଷରୁ ଚେଷ୍ଠା କରାଯିବ। ଏଥିସହ ଶ୍ରୀ ଆଚାର୍ଯ୍ୟ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପରିବେଶ ସୁରକ୍ଷା ସମ୍ପର୍କିତ ଅନେକ ତଥ୍ୟ ଉପସ୍ଥାପନ କରିଛନ୍ତି।

ସେହିପରି ମୋ’ କଲେଜ ଅଭିଯାନରେ ସାମିଲ ହୋଇ କଲେଜ ପାଇଁ ଅର୍ଥ ପାଣ୍ଠି ସଂଗ୍ରହ କରିବାକୁ ପୁରାତନ ବିଦ୍ୟାର୍ଥୀମାନେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅର୍ଥ ପାଣ୍ଠି ଜରିଆରେ ଉଭୟ କଲେଜ ଓ ବିଭାଗର ଉନ୍ନତି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅନ୍ୟ ଅତିଥିଙ୍କ ମଧ୍ୟରେ ଅଧ୍ୟାପକ ପ୍ରଦୀପ୍ତ କୁମାର ମହାପାତ୍ର, ଡ. ଉଦୟ ଶଙ୍କର ଆଚାର୍ଯ୍ୟ, ଅଭିମୁନ୍ୟ ଭୁୟାଁ, ଚିତ୍ତରଞ୍ଜନ ଦ୍ୱିବେଦୀ, ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡ. ଗୁରୁଚରଣ ନାୟକ, ଅତିଥି ଅଧ୍ୟାପିକା ଲିପ୍ସା, ଡ. ସତ୍ୟ ନାରାୟଣ ସେଠୀ, ଅଶୋକ କୁମାର ପୃଷ୍ଟି, ସନ୍ତୋଷ କୁମାର ଚୌଧୁରୀ, ରାଜଲକ୍ଷ୍ମୀ ଶତପଥୀ, ପ୍ରଦୀପ୍ତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ‘ ଉଦ୍ଭିଦ ବିଜ୍ଞାନୀ ପୁରାତନ ବିଦ୍ୟାର୍ଥୀ ସଙ୍ଘର’ ପଦାଧିକାରୀଙ୍କୁ ମନୋନିତ କରାଯାଇଛି। ସଙ୍ଘର ସଭାପତି ଭାବେ ଅଧ୍ୟାପକ ବାମନ ଚନ୍ଦ୍ର ଆଚାର୍ଯ୍ୟ, ଉପସଭାପତି ଭାବେ ବିଭାଗ ମୁଖ୍ୟ ଡ. ଗୁରୁ ଚରଣ ନାୟକ, ସଂପାଦକ ଭାବେ ଡ. ଉଦୟ ଶଙ୍କର ଆଚାର୍ଯ୍ୟ, ଯୁଗ୍ମ ସମ୍ପାଦକ ଏବଂ କୋଷାଧ୍ୟକ ଭାବେ ବିଭୂତି ଭୂଷଣ ଚମ୍ପତି ଆସନ୍ତା ଦୁଇବର୍ଷ ପାଇଁ ମନୋନିତ ହୋଇଛନ୍ତି। ଏଥିସହ ପ୍ରତିବର୍ଷ ଏହି ସମ୍ମେଳନ ଅନୁଷ୍ଠିତ ହେବା ନେଇ ନିଷ୍ପତି ହୋଇଛି।

ଆୟୋଜିତ ସମ୍ମେଳନରେ ୧୯୭୨ ମସିହା ବ୍ୟାଚ୍‌ରୁ ୨୦୨୧ ମସିହା ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ପୁରାତନ ବିଦ୍ୟାର୍ଥୀମାନେ ଉପସ୍ଥିତ ଥିଲେ। ଏଥିସହ ବର୍ତ୍ତମାନ ଅଧ୍ୟୟନରତ ଥିବା ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମର ଆୟୋଜନରେ ସହଯୋଗ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ଡ. ଉଦୟ ଶଙ୍କର ଆଚାର୍ଯ୍ୟଙ୍କ ‘ମାଉଥ୍ ହର୍ଣ୍ଣ’ ଜରିଆରେ ସଂଗୀତ ପରିବେଷଣ କରିଥିଲେ। ଏହି ସଂଗୀତ ବିଦ୍ୟାର୍ଥୀଙ୍କ ମନକୁ ବେଶ୍ ଛୁଇଁଥିଲା। ପରିଶେଷରେ ଉଦ୍ଭିତ ବିଜ୍ଞାନ ବିଭାଗର ବଗିଚାରେ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଭାଗ ମୁଖ୍ୟ ଡ. ଗୁରୁ ଚରଣ ନାୟକ ପରିଚାଳନା କରିଥିଲେ।