ବିଧାୟକଙ୍କ ବ୍ଲକ୍‌ରେ ଫେଲ ମାରିଲା ସରକାରଙ୍କ ବସୁଧା ଯୋଜନା: ଲୋକେ ପିଉଛନ୍ତି ଗୋଳିଆ ପାଣି

ବାଲିଗୁଡା,ଏନ୍ଏନ୍ଏସ୍: ସରକାରଙ୍କ ବସୁଧା ଯୋଜନା ଫେଲ୍। ଗ୍ରାମବାସୀଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ। ଦୂଷିତ ଚୂଆ ପାଣି ମେଣ୍ଟାଉଛି ଗ୍ରାମବାସୀଙ୍କ ତୃଷ୍ଣା। ଏଭଳି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ନିଜ ବ୍ଲକ୍ କ.ନୂଆଗାଁ ବ୍ଲକ ଅନ୍ତର୍ଗତ କୁଡୁତୁଲି ପଞ୍ଚାୟତର ସାରକେତା ଗାଁରୁ। ଦୀର୍ଘ ବର୍ଷ ପରେ ମଧ୍ୟ ଲୋକଙ୍କୁ ମୌଳିକ ସୁବିଧା ମିଳୁନି। ବିଶୁଦ୍ଧ ପାନୀୟ ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ ହେଲେ ଏଯାବତ୍ ସମସ୍ୟାର ସମାଧାନ ହୋଇପାରି ନାହିଁ। କୁଡୁତୁଲି ପଞ୍ଚାୟତ ସାରକେତା ଗାଁର ନିମାପଡ଼ା, ଖଲିଆପଦର ଓ ବାଲିପଙ୍କାଲ ଅଞ୍ଚଳରେ ପାଖାପାଖି ୩୦ ବର୍ଷ ହେବ ୨୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ହେଲେ ଏମାନେ ଏକ ଅଭିଶପ୍ତ ଜୀବନ ବିତାଉଛନ୍ତି। କେବଳ ପାନୀୟ ଜଳ ନୁହେଁ ବରଂ ପ୍ରଶାସନିକ ଅବହେଳା ଓ ଆନ୍ତରିକତା ଅଭାବରୁ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ଦୀର୍ଘ ବର୍ଷ ପରେ ଗାଁରେ ଏକ ନଳକୂପ ନୂତନ ଭାବେ ଖୋଳା ଯାଇଛି ସତ କିନ୍ତୁ ତାହା ମଧ୍ୟ କାର୍ଯ୍ୟକ୍ଷମ ହୋଇ ନଥିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ। ଏହାହିଁ ବୟାନ କରୁଛି ପ୍ରଶାସନର କେତେ ଆନ୍ତରିକତା ଅଛି ଏ ଅଞ୍ଚଳବାସୀଙ୍କ ପାଇଁ ?ଜଳ ହିଁ ଜୀବନ’ ଏଣୁ ବାଧ୍ୟ ହୋଇ ପ୍ରତି ଦିନ ଦୁଇ କିଲୋମିଟର ବାଟ ଯାଇ ଗ୍ରାମବାସୀଙ୍କ ଦ୍ୱାରା ବିଲ ମଝିରେ ଖୋଳା ଯାଇଥିବା ଚୁଆର ଗୋଳିଆ ପାଣିକୁ ବ୍ୟବହାର କରିବାକୁ ଗ୍ରାମବାସୀ ବାଧ୍ୟ ହେଉଛନ୍ତି। ଫଳରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅଜଣା ରୋଗରେ ପଡ଼ୁଛନ୍ତି। ଏ ତ ଗଲା ଜଳ କଷ୍ଟ। ବିଦ୍ୟୁତ୍ କଥା ନକହିବା ଭଲ। ବିଦ୍ୟୁତ୍ ଆଲୋକ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବିଭାଗୀୟ ଅଧିକାରୀ, ରାଜନେତା ସମସ୍ତଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ୍। ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ନିଜ ବ୍ଲକରେ ଏଭଳି ସମସ୍ୟା ଥିବା ସତ୍ତ୍ୱେ ତାଙ୍କର ଏଥିପ୍ରତି ନିଘା ନାହିଁ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ତୁରନ୍ତ ପ୍ରଶାସନ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ଜରୁରୀ ହୋଇ ପଡ଼ିଛି।