ଭଦ୍ରକରେ ଆଜି ଠାରୁ ଖୋଲିବ ଢାବା ଓ ବହି ଦୋକାନ

ଭଦ୍ରକ,ଏନ୍ଏନ୍ଏସ୍: ଆଜିଠୁ ଭଦ୍ରକ ସହରରେ ଢ଼ାବା ଓ ବହି ଦୋକାନ ଖୋଲିବ। ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ବହି ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁଦିନ ବହି ଦୋକାନ ଖୋଲିବାକୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି। ଭଣ୍ଡାରୀପୋଖରୀ ଓ ବାସୁଦେବପୁରରେ ଖୋଲିବନି ବହି ଦୋକାନ। ସେହିପରି ଆଜିଠୁ ଭଦ୍ରକରେ ଢାବା ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଢାବାରେ ଶୌଚାଳୟ କରିବା ବାଧ୍ୟତାମୂଳକ। କିନ୍ତୁ ଢାବାରେ କୌଣସି ଲୋକ ଖାଇପାରିବେନି। ଲୋକେ ଢାବାରୁ କେବଳ ପାର୍ସଲ ନେଇପାରିବେ। ସାମିଜିକ ଦୂରତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୁଧବାର ୮୩ ନମ୍ବର କରୋନା ଆକ୍ରାନ୍ତ ଯାଜପୁର ଅଂଚଳର ବୋଲି ଜଣାପଡିବା ପରେ ଆକ୍ରାନ୍ତ ରହୁଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।

ଦଶରଥପୁର ବ୍ଲକ ଅନ୍ତର୍ଗତ ଅକରପଡା ଓ ଚିତାଳ ପଞ୍ଚାୟତର ୮ଟି ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ବୋଲି ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ୮୭୫ ପରିବାରର ୩ ହଜାର ୫୭୬ ଜଣ ବ୍ୟକ୍ତି ରହୁଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଏହି ଅଞ୍ଚଳକୁ ମେ ୫ତାରିଖ ରାତି ୮ଟା ପର୍ଯ୍ୟନ୍ତ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହି ସମୟରେ ଏହି ଅଞ୍ଚଳର ଲୋକ ବାହାରକୁ କିମ୍ବା ବାହାର ଲୋକ ସେହି ଅଞ୍ଚଳ ଭିତରକୁ ପ୍ରବେଶ କରି ପାରିବେ ନାହିଁ। ୮୩ ନମ୍ବର କରୋନା ଆକ୍ରାନ୍ତ ଜଣଙ୍କ ୨୯ ତାରିଖରେ କୋଲକାତାର ଗଙ୍ଗାଘାଟରୁ ବାହାରିଥିଲେ। ୩୦ ତାରିଖରେ ସଠିପୁରରେ ପହଞ୍ଚିଥିଲେ।

ସେଠାରୁ ଏକ ଗାଡି ଯୋଗେ ଆସିଥିଲେ। ଫେରିବା ପରେ ସେ ୧୪ ଦିନ ଘରେ ସଂଗରୋଧରେ ରହିଥିଲେ। ସେହି ସମୟରେ ତାଙ୍କ ଦେହରେ କରୋନାର କୌଣସି ଲକ୍ଷଣ ଦେଖା ଦେଇନଥିଲା। ତା ପରେ ସେ ବିଭିନ୍ନ ସ୍ଥାନକୁ ଯାଆସ କରିବା ସହ ପରିବାର ଓ ଗାଁ ଲୋକଙ୍କ ସହ ଅନାୟସରେ ମିଳାମିଶା କରିଥିଲେ। ତେଣୁ ତାଙ୍କ ସଂସ୍ପର୍ଶରେ ବହୁ ଲୋକ ଆସିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଏସବୁର କଣ୍ଟାକ୍ଟ ଟ୍ରେସିଂ କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।