କଣ୍ଟେନମେଣ୍ଟ ମୁକ୍ତ ହେଲା ଭୁବନେଶ୍ୱର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରୁ ଆଜି କଣ୍ଟେନମେଣ୍ଟ ଜୋନ କଟକଣା ଉଠିଛି। ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗର ଅଞ୍ଚଳରେ ଆଜି କଣ୍ଟେନମେଣ୍ଟ ଜୋନ କଟକଣା ପ୍ରତ୍ୟାହାର କରାଯାଇଛି। ତେବେ ଆଜି ଏହି କଣ୍ଟେନମେଣ୍ଟ ଉଠିବା ପରେ କେତେକ ଲୋକ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଘରୁ ବାହାରକୁ ଆସିଛନ୍ତି। ସେହିପରି ସ୍ୱାସ୍ଥ୍ୟ ବିଭାଗ ଓ ବିଏମସି ପକ୍ଷରୁ ଯାଞ୍ଚ ଓ ବିଶୋଧନ ପ୍ରକ୍ରିୟା ଜାରି ରହିଛି। ଏହି ପରିପ୍ରେକ୍ଷୀରେ କଣ୍ଟେନମେଣ୍ଟ ଉଠିଥିବା ସତ୍ତେ୍ୱ ଏହି ଅଞ୍ଚଳମାନଙ୍କୁ ସର୍ଭିଲାନ୍ସରେ ରଖାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

ଏପ୍ରିଲ ୨ରେ ପ୍ରଥମେ ସୂର୍ଯ୍ୟନଗର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ସହ ପୁନର୍ବାର ୧୪ ତାରିଖରେ ଏହାର ସମୟ ଅବଧିକୁ ବୃଦ୍ଧି କରାଯାଇଥିଲା। ସେହିପରି ବମିଖାଲରେ ଏପ୍ରିଲ ୩ ଓ ସତ୍ୟନଗରରେ ଏପ୍ରିଲ ୭ ତାରିଖରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲା ବିଏମସି। ତେବେ ଗତ ୭ ଦିନରେ ଭୁବନେଶ୍ୱରରେ କୌଣସି ପଜିଟିଭ କେସ ସାମ୍ନାକୁ ଆସିନଥିବାରୁ ଆଜି ଏହି ଅଞ୍ଚଳଗୁଡ଼ିକୁ କଣ୍ଟେନମେଣ୍ଟରୁ ପ୍ରତ୍ୟାହାର କରାଯାଇଛି।