ଏହି ସର୍ତ୍ତରେ ଆର୍ୟ୍ୟନଙ୍କୁ ମିଳିଲା ଜାମିନ

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଗତକାଲି ବମ୍ବେ ହାଇକୋର୍ଟ ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନ ଖାନଙ୍କୁ ଜାମିନ ପ୍ରଦାନ କରିଥିଲେ। ଆଉ ଆଜି କୋର୍ଟ ପକ୍ଷରୁ ୫ ପୃଷ୍ଠାର ଜାମିନ ଆଦେଶ କପି ଜାରି କରାଯାଇଛି। ଆର୍ୟ୍ୟନଙ୍କୁ ୧ଲକ୍ଷ ଟଙ୍କାର ମୁଚାଲିକାରେ ଜାମିନ ମିଳିଛି। ଖାସ୍ କଥାଟି ହେଲା, ଶାହରୁଖଙ୍କ ବନ୍ଧୁ ଜୁହି ଚାୱଲା ଏହି ୧ଲକ୍ଷ ଟଙ୍କାର ବେଲବଣ୍ଡ ଦାଖଲ କରିଛନ୍ତି।

ଆର୍ୟ୍ୟନଙ୍କ ପାଇଁ ଜାରି ହୋଇଥିବା ସର୍ତ୍ତଗୁଡ଼ିକ ହେଲା, ପ୍ରତି ଶୁକ୍ରବାର ୧୧ରୁ ୨ଟା ମଧ୍ୟରେ ଏନସିବି ଅଫିସରେ ହାଜର ହେବେ। ଆର୍ୟ୍ୟନ ଏନଡିପିଏସ କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ଯାଇପାରିବେ ନାହିଁ। ନିଜ ପାସପୋର୍ଟକୁ ସ୍ପେଶାଲ କୋର୍ଟରେ ଜମା କରିବେ। ମୁମ୍ବାଇରୁ ବାହାରକୁ ଯିବାକୁ ଚାହୁଁଥିଲେ ଯାଞ୍ଚ ଅଧିକାରୀଙ୍କୁ ଯାତ୍ରା କାର୍ଯ୍ୟକ୍ରମ ଦେବାକୁ ପଡ଼ିବ। ଉକ୍ତ ମାମଲାକୁ ନେଇ ମିଡିଆ ସହ କୌଣସି ଆଲୋଚନା କରିବେ ନାହିଁ। ସାକ୍ଷୀକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ। ଏହି ଆଦେଶକୁ ପାଳନ ନକଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କପିରେ ଦର୍ଶାଯାଇଛି।