କଟକଣାକୁ ଅବମାନା କରି ଚାଲିଥିଲା ବାହାଘର : ବର ସମେତ ୬ ଜଣଙ୍କୁ ଉଠାଇ ନେଲା ପୁଲିସ

ବଲାଙ୍ଗୀର,ଏନ୍ଏନ୍ଏସ୍ : କରୋନାକୁ ନେଇ ଦେଶରେ ଲକ୍ ଡାଉନ ଚାଲିଥିବା ବେଳେ ନାନା ପ୍ରକାର କଟକଣା ଲଗାଯାଇଛି । ଅନେକ ସାମାଜିକ କାମରେ ମଧ୍ୟ କଟକଣା ଲାଗୁ କରାଯାଇଛି । ବିବାହ ଭଳି ସାମାଜିକ କାର୍ଯ୍ୟ ନକରିବା ପାଇଁ କୁହାଯାଇଛି । ତେବେ ୭ ଜଣ ଲୋକଙ୍କୁ ନେଇ ବିନା ଭୋଜିଭାତରେ ବିବାହ କରାଯାଇ ପାରିବ ବୋଲି କୁହାଯାଇଛି । ଏଥିପାଇଁ କିନ୍ତୁ ପ୍ରଶାସନର ଅନୁମତି ନେବାକୁ ପଡିବ । କିନ୍ତୁ ପ୍ରଶାସନର କୌଣସି ପ୍ରକାର ଅନୁମତି ନନେଇ ୫୦ ରୁ ଉର୍ଦ୍ଧ ଲୋକ ଏକ ବରଯାତ୍ରାରେ ସାମିଲ ହୋଇଥିଲେ । ବିବାହ ପାଇଁ ମଧ୍ୟ ବହୁ ଆଡମ୍ବର କରାଯାଇଥିବା ବେଳେ ଭୋଜିଭାତିର ମଧ୍ୟ ବ୍ୟବସ୍ଥା ହୋଇଥିଲା । ତେବେ ବିବାହ ସମ୍ପର୍କରେ ଜାଣିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ବର ସମେତ ୬ ଜଣଙ୍କୁ ଉଠାଇ ନେଇଥିଲା । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ତୁଷୁରା ଥାନା ଅନ୍ତର୍ଗତ ସମରା ଗାଁରୁ ଏକ ବରଯାତ୍ରୀ ଦଳ ସଇଁନ୍ତଲା ଥାନା ଅନ୍ତର୍ଗତ କନ୍ଦକେଲ ଗାଁ ନିକଟସ୍ଥ ବରମୁଡା ଗଡତ୍ୟାପାଲି ଅଭିମୁଖେ ସେମାବାର ସନ୍ଧ୍ୟାରେ ବାହାରିଥିଲେ । ଏହି ବରଯାତ୍ରୀ ଦଳରେ ୫୦ ରୁ ୬୦ ଜଣ ଯାଇଥିଲେ । ଏମାନଙ୍କ ମଧ୍ୟରୁ କେତେକ ଜିଲ୍ଲା ବାହାରୁ ମଧ୍ୟ ଆସିଥିଲେ ବୋଲି କୁହାଯାଉଛି । ତେବେ ବିବାହ ସମ୍ପର୍କରେ ଜାଣିବା ପରେ କେତେ ଲୋକ ଏସପିଙ୍କୁ ତାଙ୍କ ହ୍ୱାଟସଆପ ନମ୍ବରରେ ମ୍ୟାସେଜ କରିଥିଲେ । ଅଭିଯୋଗ ପାଇବା ପରେ ଏସପି ତୁଷୁରା ଥାନା ଓ ସଇଁନ୍ତଲା ଥାନା ଅଧିକାରୀଙ୍କୁ ବିହିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏସପିଙ୍କ ନିର୍ଦ୍ଦେଶ କ୍ରମେ ସଇଁନ୍ତଲା ପୁଲିସ ଘଟଣାସ୍ଥଳରେ ପହଂଚି ବର ସମେତ ୬ ଜଣଙ୍କୁ ଥାନାକୁ ଉଠାଇ ନେଇଥିଲା । ସେମାନଙ୍କ ନା’ରେ ଏକ ମାମଲା ରୁଜୁ କରି ଛାଡି ଦେଇଥିବା ଜଣାପଡିଛି ।