ନିଜାମୁଦ୍ଦୀନ ମସଜିଦ ସମ୍ମିଳନୀରେ ୬ ମୃତ, ୨୪ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀସ୍ଥିତ ନିଜାମୁଦ୍ଦୀନ ଅଞ୍ଚଳରେ ଆୟୋଜିତ ହୋଇଥିବା ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୨୪ଜଣ କରୋନାରେ ଆକ୍ରାନ୍ତ ହେବାକୁ ନେଇ ସଭିଙ୍କ ଚିନ୍ତା ବଢ଼ିଯାଇଛି। ୨ ହଜାର ଲୋକ ସାମିଲ ହୋଇଥିବା ଏହି କାର୍ଯ୍ୟକ୍ରମରେ ପାଖାପାଖି ୩୫୦ ଲୋକଙ୍କଠାରେ କରୋନା ଲକ୍ଷଣ ଦେଖାଯାଇଛି ଯାହାଙ୍କୁ ଏବେ ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଏହି ଉତ୍ସବରେ ଯୋଗଦେଇ ତେଲେଙ୍ଗାନା ଫେରିଥିବା ୬ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ତେଲେଙ୍ଗାନା ସରକାର ଘୋଷଣା କରିଛନ୍ତି।
ସୂଚନାନୁଯାୟୀ, ନିଜାମୁଦ୍ଦିନ ମସଜିଦରେ ୧୫ ମାର୍ଚ୍ଚ ମଧ୍ୟରେ ଏହି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସାଉଦି ଆରବ, ଦୁବାଇ, ଅଜବେକିସ୍ତାନ, ଇଣ୍ଡୋନେସିଆ, ମାଲେସିଆ ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟର ଲୋକେ ସାମିଲ ହୋଇଥିଲେ। ଲକଡାଉନ ପୂର୍ବରୁ ଅଧିକଂଶ ଲୋକ ଏଠାରୁ ଚାଲି ଯାଇଥିଲେ ମଧ୍ୟ ୨୪ ଜଣ କରୋନାରେ ଆକ୍ରାନ୍ତ ହେବାରୁ ଏକପ୍ରକାର ଭୟାବହ ପରିସ୍ଥିତ ଉପୁଜିଛି। ବର୍ତ୍ତମାନ ସ୍ଥିତିରେ ଦିଲ୍ଲୀ ସମେତ ଉତ୍ତପ୍ରଦେଶ, ଜମ୍ମୁ-କଶ୍ମୀର, ତାମିଲନାଡ଼ୁ ଓ ତେଲେଙ୍ଗାନା ଏଥିରେ ସାମିଲ ହୋଇଥିବା ଲୋକଙ୍କୁ ଖୋଜିବାରେ ବ୍ୟସ୍ତ ରହିଛି। କିନ୍ତୁ ଦିଲ୍ଲୀରେ ୧୪୪ ଧାରା ଜାରି ହେବା ସତ୍ୱେ ନିଜାମୁଦ୍ଦିନରେ ଧାର୍ମିକ କାର୍ଯ୍ୟକ୍ରମ ହେବାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।