ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ କରମତଳା ପଞ୍ଚାୟତ ଗୁରମୁନି ଗ୍ରାମର ବିଏସଏଫରେ କାର୍ଯ୍ୟରତ ଥବିର ବୁଡ଼େକ(୩୪) ସହିଦ ହୋଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ଗତ ଶନିବାର ରାତିରେ ବିଏସଏଫର ୩ଜଣ ଉଚ୍ଚ ଅଧିକାରୀଙ୍କ ସହ ସେନା ଗାଡ଼ିରେ ଥବିର ଆସାମର ଗୌହାଟରୁ ଫେରୁଥିଲେ। ତେବେ ଦୁର୍ଗମ ନିକୁଞ୍ଜ ଘାଟି ରାସ୍ତାରେ ଗାଡ଼ଟି ଭାରସାମ୍ୟ ହରାଇ ନଦୀ ଗର୍ଭରେ ପଡ଼ି ଯାଇଥିଲା। ପଛରେ ଆସୁଥିବା ସେନା ଗାଡ଼ି ଆହତ ଥବିରଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲା। ତେବେ ସେଠାରେ ଯବାନ ଥବିରଙ୍କ ମୃତ୍ୟୁ ଘଟିଥିଲା। ପରେ ସେନାର କର୍ମଚାରୀମାନେ ଥବିରଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ଆଜି ଥବିରଙ୍କ ପାର୍ଥୀବ ଶରୀର ନିଜ ଭିଟାମାଟରେ ପହଞ୍ଚିଛି। ପ୍ରଥମ କରମତଲାଠାରୁ ଏକ ବିରାଟ ଶୋଭାଯାତ୍ରାରେ ଥବିରଙ୍କ ପାର୍ଥୀବ ଶରୀର ଗ୍ରାମ ପରିକ୍ରମା କରିବା ପରେ ସହିଦ ଯବାନ ଥବିର ଅମର ରହେ ବୋଲି ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନେ ନାରା ଦେଇଥିଲେ। ପୁଷ୍ପମାଲ୍ୟରେ ତାଙ୍କର ପାର୍ଥୀବ ଶରୀର କୁ ଗ୍ରାମବାସୀ ସ୍ୱାଗତ କରିଥିଲେ। ଥବିରଙ୍କ ଶେଷ ଦର୍ଶନ ପାଇଁ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟୁକୁନି ସାହୁ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ସ୍ଥାନୀୟ ସରପଞ୍ଚ ହିମାଞ୍ଚଳ ବୁଡ଼େକ, କୋଶଲ କମିଟି ସଦସ୍ୟ ବନମାଲି ନାୟକ, ସଇଁନ୍ତଳା ବିଡିଓ ଦେବାଶିଷ ସାମଲ, ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ସଇଁନ୍ତଳା ଥାନାଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଓ ବଲାଙ୍ଗିର ସଂସାଦ ସଂଗୀତା ସିଂଦେଓଙ୍କ ସମତେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।