ଘର ଭିତରୁ ମା’ ଓ ପୁଅର ମୃତଦେହ ଉଦ୍ଧାର

ରାଇଘର,ଏନ୍ ଏନ୍ଏସ୍: ଅର୍ଥ ଅଭାବରୁ ରୋଗୀଣା ପୁଅକୁ ଚିକିତ୍ସା କରାଇ ପାରିଲେ ନାହିଁ ମା’। ଚିକିତ୍ସା ଅଭାବରୁ ପୁଅର ମୃତ୍ୟୁ ହେଲା। ପୁଅ ମୃତ୍ୟୁରେ ମର୍ମାହତ ହୋଇ ଆଜି ମା’ ମଧ୍ୟ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁମୁଲି ପଞ୍ଚାୟତର ଜାମଦରା ଗ୍ରାମରେ । ମା’ ଓ ପୁଅ ଉଭୟଙ୍କ ଶବ ଘର ଭିତରୁ ଉଦ୍ଧାର କରାଯାଇଛି। ମା’ ସାଇବେଣି ହରିଜନ (୬୫)ଙ୍କ ଶବ ଘରଭିତରେ ଝୁଲନ୍ତା ଅବସ୍ଥାରେ ଥିବାବେଳେ ପୁଅ ତୁଲସୀ ରାମ ହରିଜନ (୪୫)ଙ୍କ ଶବ ଘର ଭିତରେ ବିଛଣାରେ ପଡି ଷଢି ଯାଇଥିଲା। ଏହି ସମ୍ପର୍କରେ ଗ୍ରାମବାସୀ ରାଇଘର ଥାନାରେ ଜଣାଇବାପରେ ଥାନା ଅଧିକାରୀ ଅଭୟ ବେହେରା ଏବଂ ଏଏସ ଆଇ ପ୍ରଦୀପ କୁମାର ବାଘ ପୁଲିସ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରି ଦୁଇଟି ପୃଥକ୍ ମାମଲା ରୁଜୁ କରିଛନ୍ତି। ଏହାସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ପୁଲିସ।