କଟକ,ଏନ୍ଏନ୍ଏସ୍: ଆଠଗଡ ନିକଟ ମହାନଦୀରେ ହାତୀ ଫସି ରହିଥିବା ବେଳେ ତାକୁ ଉଦ୍ଧାର କରିବାକୁ ଯାଇଥିବା ବୋଟ ଓଲଟି ପଡ଼ିଛି। ବୋଟରେ ଥିବା ଉଦ୍ଧାରକାରୀ ଦଳ ସେଠାରେ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁସାରେ ଦୀର୍ଘ ସମୟ ଧରି ହାତୀଟି ପାଣି ଭିତରେ ଫସି ରହିବା ପରେ କୂଳକୁ ଆସି ପୁଣି ନଦୀ ମଝିକୁ ପଳାଇଯାଇଥିଲା। ତେବେ ପାଣିରୁ ହାତୀକୁ କୂଳକୁ ଘଉଡାଇବା ପାଇଁ ଏକ ଉଦ୍ଧାରକାରୀ ଦଳ ପାଣି ଭିତରକୁ ବୋଟ ନେଇ ଯାଇଥିଲେ। ତାଙ୍କ ସହ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ। ତେବେ ହାତୀକୁ ଘଉଡ଼ାଇବା ସମୟରେ ନଦୀର ପ୍ରଖର ସ୍ରୋତରେ ବୋଟଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସେଥିରେ ଥିବା ଟିମକୁ ରସି ସିଡ଼ି ସାହାଯ୍ୟରେ ଉଦ୍ଧାର କରାଯାଉଛି।
ସୂଚନା ଅନୁସାରେ ଆଜି ଭୋରରେ ଏକ ୧୭ରୁ ୨୦ ଟିକିଆ ହାତୀ ପଲ ଆଠଗଡ ପଟୁ ମହାନଦୀରେ ପଶିଥିଲେ। ସେମାନେ ବାଙ୍କି ଦେଇ ଚନ୍ଦକା ଜଙ୍ଗଲ ଅଭିମୁଖେ ଯାଇଥାନ୍ତେ। ମାତ୍ର ନଦୀରେ ଜଳସ୍ତର ଅଧିକା ଥିବା ବେଳେ ପାଣିର ସୁଅରେ ହାତୀପଲ ଭାସିଯାଇଥିଲେ।
ଗୋଟିଏ ହାତୀ ମୁଣ୍ଡଳୀ ବ୍ରିଜ ନିକଟରେ ଲାଖି ରହିଥିବା ବେଳେ ଆଉ ୭ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ ରେଞ୍ଜର ନୂଆଶାସନ ଗାଁ ନିକଟରେ ଲାଗିଥିବା ଜଣାପଡ଼ିଛି।