ଚିଲିକାରେ ବୁଡ଼ିଲା ଡଙ୍ଗା: ଜଣେ ନିଖୋଜ, ୧୧ ଉଦ୍ଧାର

ବାଲୁଗାଁ,ଏନ୍ଏନ୍ଏସ୍: କାଳବୈଶାଖୀ ଜନିତ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଆଜି ଚିଲିକାରେ ଏକ ଡଙ୍ଗା ବୁଡ଼ି ଯାଇଛି। ଏହି ଘଟଣାରେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି।

ଡଙ୍ଗାରେ ମୋଟ ୧୨ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ହେଉଛନ୍ତି ପର୍ଯ୍ୟଟକ। ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି। ସେମାନେ ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର। ଅନ୍ୟ ୪ ଜଣଙ୍କ ମଧ୍ୟରୁ ୨ ଜଣ ନାବିକ ଓ ଅନ୍ୟ ଦୁଇ ଜଣ ବାଲୁଗାଁ ଅଞ୍ଚଳର ଲୋକ। ବାଲୁଗାଁ ଅଞ୍ଚଳର ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କାଳିଜାଈରେ ଏକ ଦୋକାନରେ କାମ କରନ୍ତି। ସେ ନିଖୋଜ ଅଛନ୍ତି। ତାଙ୍କ ନାଁ ରାଜେନ୍ଦ୍ର ଖୁଣ୍ଟିଆ ବୋଲି ଜଣାପଡ଼ିଛି। ତାଙ୍କ ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଏହି ଟୁରିଷ୍ଟ ଡଙ୍ଗାଟି କାଳିଜାଈରୁ ବାଲୁଗାଁ ଅଭିମୁଖେ ଫେରୁଥିଲା। ପର୍ଯ୍ୟଟକମାନେ କାଲିଜାଈଙ୍କ ଦର୍ଶନ କରି ଫେରୁଥିବା ବେଳେ ଅପରାହ୍ଣ ପ୍ରାୟ ୫ଟା ବେଳେ କାଳବୈଶାଖୀ ପବନ ଓ ବର୍ଷା ହୋଇଥିଲା। ଫଳରେ ଡଙ୍ଗାଟି ବାଲୁଗାଁ ଠାରୁ ପ୍ରାୟ ୪ କିଲୋମିଟର ଦୂର ଚଢ଼େଇଗୁହା ପାହାଡ଼ ନିକଟରେ ବୁଡ଼ି ଯାଇଥିଲା। ତେବେ ସମସ୍ତ ୮ ପର୍ଯ୍ୟଟକ ଲାଇଫ ଜ୍ୟାକେଟ୍ ପିନ୍ଧିଥିବା ଯୋଗୁ ପାଣିରେ ଭାସୁଥିଲେ। ସେହିପରି ସେମାନଙ୍କ ସହ ଡଙ୍ଗାର ଦୁଇ ନାବିକ ଓ ଅନ୍ୟ ଜଣେ ସ୍ଥାନୀୟ ଲୋକ ରହିଥିଲେ। ସେମାନେ ପାଣିରେ ଭାସୁଥିବା ବେଳେ ବାଲୁଗାଁ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ବାଲୁଗାଁ ଡାକ୍ତରଖାନାରେ ସମସ୍ତ ପର୍ଯ୍ୟଟକଙ୍କୁ ଭର୍ତ୍ତି କରାଯାଇଛି। ସେମାନେ ସମସ୍ତେ ସୁସ୍ଥ ଅଛନ୍ତି।