ଡାଲ୍ ହ୍ରଦରେ ବୋଟ୍ ଆମ୍ବୁଲାନ୍ସ ବ୍ୟବସ୍ଥା

ଶ୍ରୀନଗର,ଏଜେନ୍ସି: ଶ୍ରୀନଗରର ପ୍ରସିଦ୍ଧ ଡାଲ୍ ହ୍ରଦରେ ଖୁବଶ୍ରୀଘ୍ର ବୋଟ୍ ଆମ୍ବୁଲାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି। ହ୍ରଦର ଆଖପାଖ ଅଞ୍ଚଳରେ ବାସ କରୁଥିବା ଲୋକେ ଏହାଦ୍ୱାରା ଉପକୃତ ହେବ ବୋଲି ଆଶା କରାଯାଉଛି। ତାରିକ୍ ଅହମ୍ମଦ ପତଲୁ ନାମକ ଜଣେ ବ୍ୟକ୍ତି ବୋଟ୍ ଆମ୍ବୁଲାନ୍ସ ବ୍ୟବସ୍ଥାର ପରିକଳ୍ପନା କରିଥିଲେ। ଦୁଇମାସ ପୂର୍ବେ ଯେତେବେଳେ ତାରିକ୍ କରୋନାରେ ଆକ୍ରାନ୍ତ ହୋଇଥିଲେ, ତାଙ୍କୁ ସହାୟତା କରିବାକୁ କେହି ଆଗେଇ ଆସିନଥିଲେ। ଶେଷରେ ଜଣେ ବନ୍ଧୁ ତାଙ୍କୁ ବୋଟ୍ ଯୋଗାଇଦେବାରୁ ସେ ଡାକ୍ତରଖାନାରେ ପହଞ୍ଚିପାରିଥିଲେ। ତେଣୁ ଡାଲ୍ ହ୍ରଦରେ ଥିବା ହାଉସବୋଟ ଗୁଡିକରେ ବାସ କରୁଥିବା ଶତାଧିକ ଲୋକଙ୍କୁ ଡାକ୍ତରୀ ସୁବିଧା ଯୋଗାଇ ଦେବାକୁ ଏଭଳି ବୋଟ୍ ଆମ୍ବୁଲନ୍ସ ସେବାର ପରିକଳ୍ପନା କରିଥିବା ତାରିକ୍ କହିଛନ୍ତି। ୩୫ ଫୁଟ ଲମ୍ବ ବିଶିଷ୍ଟ ଏହି ଆମ୍ବୁଲାନ୍ସ ବୋଟ୍ କାଠ ଓ ଲୁହାରେ ନିର୍ମିତ ହେବ। ଏଥିରେ ରୋଗୀଙ୍କ ପାଇଁ ଶଯ୍ୟା, ଅମ୍ଳଜାନ ସିଲିଣ୍ଡର, ଅକ୍ସିମିଟର, ହ୍ୱିଲଚେୟାର ଓ ଷ୍ଟ୍ରେଚର ରହିବା ସହ ଟୋଲଫ୍ରି ନମ୍ବର ରହିବ ବୋଲି ଜଣାପଡିଛି।