ସାମାଜିକ ଦୂରତ୍ୱକୁ ଫୁ : ଜନଧନ ଖାତରୁ ଟଙ୍କା ଉଠାଇବା ପାଇଁ ମାନିଲେନି ଲୋକେ

ଦେବଗଡ଼,ଏନ୍ଏଡ଼୍ଏସ୍ : ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ସଂକ୍ରମଣ ରୋକିବା ନେଇ ସାମାଜିକ ଦୂରତା ଉଦ୍ଦେଶ୍ୟରେ ଦେଶକୁ ଲକଡାଉନ କରା ଯାଇଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ମାତ୍ର ଅନେକ ସ୍ଥାନରେ ଜନ ସାଧାରଣ ସାମାଜିକ ଦୂରତାକୁ ପାଳନ କରୁ ନ ଥିବାରୁ ରାଜ୍ୟର ଅନେକ ସ୍ଥାନରେ କରୋନା ସଂକ୍ରମଣ ସଂଖ୍ୟା କମିବାର ନାଁ’ ନେଉ ନାହିଁ । ଲକ ଡାଉନ ନିୟମ ପାଳନ ନକରି ପ୍ରତ୍ୟେକ ଦିନ ଏକାଧିକ ଜନସାଧାରଣ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଥିଲେ ହେଁ ସୁଧିରୀବାର ନାଁ’ ନେଉନ ଥିବା ଦେଖିବାକୁ ମିଳୁଛି । କେତେ ବେଳେ ସାପ୍ତାହିକ ବଜାରରେ ଜନଗହଳି ତ କେତେବେଳେ ଗାଁ’ ମଣ୍ଡପ ଗୁଡିକରେ ଜନସାଧାରଣ ଗୋଟିଏ ସ୍ଥାନରେ ବସି ରହି ସାମାଜିକ ଦୂରତ୍ୱକୁ ଅଣଦେଖା କରୁଥିବା ଦେଖିବାକୁ ମିଳିଛି ।

ଆଜି ଦେବଗଡ ସହରରେ ଥିବା ବିଭିନ୍ନ ବ୍ୟାଙ୍କ ଗୁଡିକରେ ପ୍ରବଳ ଗହଳି ହୋଇଥିଲା। ବ୍ୟାଙ୍କ ପରିସରରୁ ରାସ୍ତା ଯାଏଁ ବହୁ ପୁରୁଷ ଓ ମହିଳା ସେମାନଙ୍କ ଜନଧନ ଜମା ଖାତାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜମା କରାଯାଇଥିବା ୫ଶହ ଟଙ୍କାକୁ ଉଠାଣ ପାଇଁ ସାମଜିକ ଦୂରତ୍ୱକୁ ଫୁ କରି ଲମ୍ବା ଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ଷ୍ଟେଟ ବ୍ୟାଙ୍କ ,ଓରିଏଂଟାଲ ବ୍ୟାଙ୍କ ଅଫ କମର୍ସ , ୟୁନିୟନ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ଓ ପିଏନବି ଆଦି ବ୍ୟାଙ୍କ ସମ୍ମୁଖରେ ଜନଗହଳି ବଢିବାରୁ ପୁଲିସ ପହଚିଂ ଉକ୍ତ ସ୍ଥାନ ଗୁଡିକରେ ସାମାଜିକ ଦୂରତ୍ୱ ପାଇଁ ହସ୍ତକ୍ଷେପ କରୁଥିବା ଦେଖିବାକୁ ମିଳିଥିଲା ।