ରକ୍ତଦାନ ଶିବିର ଉଦଯାପିତ, ୨୩୨ ୟୁନିଟ ରକ୍ତ ସଂଗ୍ରହ

ଦେବଗଡ଼,ଏନ୍ଏନ୍ଏସ୍: ବିଜେଡ଼ି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଆହ୍ୱାନ କ୍ରମେ ଗତ ୯ ତାରିଖ ପବିତ୍ର କ୍ରାନ୍ତି ଦିବସଠାରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଅନୁଷ୍ଠିତ ଓଡିଶା ମୋ’ ପରିବାର ରକ୍ତଦାନ ଶିବିର ଆଜି ଉଦଯାପିତ ହୋଇଯାଇଛି। ଓଡିଶା ମୋ ପରିବାରର ଦେବଗଡ଼ ଜିଲ୍ଲା ସଂଯୋଜକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ପ୍ରତକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟରେ ସପ୍ତାହେ ବ୍ୟାପି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୨୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରକୁ ପ୍ରଦାନ କରାଯାଇଥିଲା। ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ସେନା ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ, ଗାୟତ୍ରୀ ପରିବାର ମୁଖ୍ୟ ଡାକ୍ତର ବିଳାସିନୀ ଦ୍ବିବେଦୀ, ଇଂ ସୁଜିତ କୁମାର ପ୍ରଧାନ ଓ ଦଳୀୟ ନିର୍ବାଚନ ଅଧିକାରୀ ଆଇନଜୀବୀ କାମାକ୍ଷା ପ୍ରସାଦ ଗଙ୍ଗଦେବ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିବା ସହ ଚାରା ରୋପଣ କରିଥିଲେ। ନଗର ସଭାପତି ଶୁକଦେବ ଭଞ୍ଜଙ୍କ ନେତୃତ୍ୱରେ ବହୁ ଦଳୀୟ କର୍ମୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।