ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ୍ ବେଳଗାଁ କଲ୍ୟାଣ ମଣ୍ଡପ ଠାରେ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେଇଯାଇଥିଲା। ବ୍ଲକ୍ ଅଧ୍ୟକ୍ଷା ମୋନିକା ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡ଼ିଓ ଚନ୍ଦ୍ର ମଣି ନାଗ, ନବ ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ, ବେଳଗାଁ ଜିଲ୍ଲା ସଭ୍ୟା ରୀତା ରାଣୀ ହାତୀ, ସଇଁନ୍ତଲା ଜିଲ୍ଲା ପରିଷଦ ପ୍ରମୋଦ ଭୋଇ, ଟିକ୍ରାପଡ଼ା ଜିଲ୍ଲା ପରିଷଦ ହିମାଞ୍ଚଳ ବୁଡେକ, ବ୍ଲକ୍ ଉପାଧ୍ୟକ୍ଷ ଗୁଣ ସାଗର ମାଝୀଙ୍କ ଉପସ୍ଥିତିରେ ନିର୍ବାଚିତ ପ୍ରଥିନିଧି ମାନଙ୍କୁ ନେଇ ଜନଶୁଣାଣି ଶିବିର ଅନୁଷ୍ଠିତ ହେଇଛି।
ବିଭିନ୍ନ ବିଷୟରେ ଆଲୋଚନା ହୋଇଥିବା ବେଳେ ଛତୁଆରେ ବ୍ୟାପକ ଦୁର୍ନୀତି ହେବା ସହ ଅତି ନିମ୍ନମାନର ଛତୁଆ ବଣ୍ଟନ କରୁଥିବା ବେଳେ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଏଭଳି ହୋଇଥିବା ଅସନ୍ତୋଷ ପ୍ରକାଶ ପାଇଥିଲା। ଅନ୍ୟପଟେ ବଲାଙ୍ଗିର ଜିଲ୍ଲା ଦାଦନ ପ୍ରବଣ ଅଞ୍ଚଳ ହେଇଥିବାରୁ ମନରେଗା ଯୋଜନାରେ କାମ ସରକାର ଦେଉଥିବା ବେଳେ ଅଧିକାରୀ ମାନେ ଚଞ୍ଚକତା କରି ଶ୍ରମିକ ବଦଳରେ ମେସିନରେ କାମ କରୁଥିବା ଅଭିଯୋଗ ହୋଇଥିଲା। ଏଥିରେ ସମ୍ପୃକ୍ତ ଥିବା ଅଧିକାରୀ ମାନଙ୍କୁ ବ୍ଲକ୍ ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯାଇଥିଲା, ଯାହା ଫଳରେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶପାଇଛି।
ଅନ୍ୟପଟେ ଜଳ ଯୋଗାଣ ଠିକ ଭାବରେ କାର୍ଯ୍ୟ କାରି ହେଉ ନ ଥିବା ବେଳେ ଆବାସ ଯୋଜନାରେ ମନରେଗା ଟଙ୍କା ହିତାଧିକାରୀଙ୍କୁ ଠିକ ଭାବରେ ଦିଆ ଯାଉନାହିଁ। ଏଭଳି ଅନେକ ତଥ୍ୟର ଗୁମର ଫିଟେଇବା ଆଗରୁ ହୋହାଲ୍ଲାରେ ବୈଠକ କାର୍ଯ୍ୟ ଶେଷ ହୋଇଥିଲା।
ବ୍ଲକ୍ରେ ବିଭିନ୍ନ କାର୍ଯ୍ୟରେ ଅଧିକାରୀ ମାନେ ଦୁର୍ନିତୀ କରିଥିବା ଘଟଣା ପଦାକୁ ଆସିଛି। ସଇଁନ୍ତଲା ସରପଞ୍ଚ ସୁବ୍ରତ ନାଗ, ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ ବ୍ଲକ ଅଞ୍ଚଳରେ ଅନେକ ହିତାଧିକାରୀ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ରାସନ ସାମଗ୍ରୀ ପ୍ରଦାନ କରିବା କଥା କିନ୍ତୁ ଏହି ଯୋଜନାରୁ ଅନେକ ହିତାଧିକାରୀ ବାଦ ପଡିଥିବା ଏବଂ ଛତୁଆ, ବାଦାମ ଲଡୁ ଅତି ନିମ୍ନମାନର ଦେଉଥିବା ଅଭିଯୋଗ ହୋଇଥିଲା। ପରେ ଜିଲ୍ଲା ଅଡିଟ ଅଧିକାରି ବର୍ଷା ହରପାଳ ଏଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କହିଥିଲେ। ଅନ୍ୟପଟେ ବୈଠକରେ ସମସ୍ତ ବିଭାଗ ଆସିଥିବା ବେଳେ କେବଳ ବନବିଭାଗର କୌଣସି କର୍ମଚାରୀ ଆସି ନଥିବା ଯୋଗୁଁ ଲୋକ ପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିଥିଲେ।