କେନ୍ଦ୍ର ସରକାର ବିରୁଦ୍ଧରେ ବ୍ଲକ କଂଗ୍ରେସର ବିକ୍ଷୋଭ 

ବଲାଙ୍ଗିର,ଏନ୍ଏନ୍ଏସ୍:  ମୋଦୀ ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ସାରା ରାଜ୍ୟ ସମେତ ବଲାଙ୍ଗିରର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ସଦର ବ୍ଲକ କଂଗ୍ରେସର ଅଧ୍ୟକ୍ଷ ରାମପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। କଂଗ୍ରେସ କହିଛି ଯେ, ମୋଦୀ ସରକାର ଗତ ୨ ମାସରେ ୨୯ଥର ତୈଳଦର ବୃଦ୍ଧି କରି ସରକାରୀ ଖଜଣା ଭରିବାରେ ବ୍ୟସ୍ତ ରହିଛନ୍ତି। ତୈଳଦର ବୃଦ୍ଧି ଯୋଗୁ ବିଭିନ୍ନ ଅତ୍ୟାବଶକୀୟ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ଆକାଶ ଛୁଆଁ ହୋଇଛି। ସେହିପରି ଅଚ୍ଛେ ଦିନର ସ୍ୱପ୍ନ ଦେଖାଇ ଗାଦିକୁ ଆସିଥିବା କେନ୍ଦ୍ର ସରକାର ଦେଶର ଚାଷୀଙ୍କ ଜୀବନ ନର୍କରେ ପରିଣତ କରିଥିବା କଂଗ୍ରେସ ଅଭିଯୋଗ କରିଛି। ଏଭଳି ସ୍ଥିତିରେ ତୈଳଦର ତଥା ନିତ୍ୟ ବ୍ୟବହାର୍ଯ୍ୟ ଓ ଖାଦ୍ୟ ସାମଗ୍ରୀର ଦର ନିୟନ୍ତ୍ରଣ, ଧାନର କ୍ୱିଣ୍ଟାଲ ପିଛା ଏମଏସପିକୁ ୨୯୩୦ ପର୍ଯ୍ୟନ୍ତ ବୃଦ୍ଧି, ଟୋକନ ଅବଧିକୁ ଜୁଲାଇ ୨୫ ପର୍ଯ୍ୟନ୍ତ ବୃଦ୍ଧି, କଟନୀ ଛଟନୀକୁ ସମ୍ପୂର୍ଣ୍ଣ ବନ୍ଦ କରିବା , ଖରିପ ଋତୁରେ ଚାଷୀଙ୍କୁ ବିହନ ଓ ସାର ଯୋଗାଇ ଦେବାକୁ ବ୍ଲକ କଂଗ୍ରେସ ଦାବୀ କରିଛି। ଏହି ସମୟରେ ବ୍ଲକ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କ ସମେତ ଅଖିଳ ମୋହନ ଥାଟି, ବିଶ୍ୱଜିତ ନାଥ, ସଙ୍କୀର୍ତ୍ତନ ମେହେର, କମଲ ନନ୍ଦ, ସଞ୍ଜୀବ ପ୍ରଧାନ, ଗଗନ ନାଥ, ପ୍ରକାଶ ବରାଇ ଓ ଟୁନା ପାଣୀଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।