ବେଙ୍ଗାଲୁରୁ,ଏଜେନ୍ସି: ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରର ନିକଟରେ ବିସ୍ଫୋରଣ ଘଟିଛି। ଦ୍ୱିତୀୟ ଟର୍ମିନାଲର ଅଣ୍ଡରପାସ୍ ନିକଟରେ ଥିବା ତରଳ ପ୍ଲାଷ୍ଟିକ ପେଣ୍ଟ ମେସିନରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେଥି ମଧ୍ୟରୁ ଅଜୟ କୁମାର ଏବଂ ସିରାଜଙ୍କ ଶରୀର ୪୦ ପ୍ରତିଶତରୁ ଅଧିକ ପୋଡିଯାଇଥିବା ପୁଲିସ ସୂଚନା ଦେଇଛି। ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୁଲିସର ସୂଚନା ଅନୁଯାୟୀ ଶ୍ରମିକମାନେ ବିମାନବନ୍ଦର ଟର୍ମିନାଲକୁ ଯାଉଥିବା ରାସ୍ତାରେ ଯୋବ୍ରା କ୍ରସିଂ ଏବଂ ସାଇନେଜ୍ ରଙ୍ଗ କରିବା ପାଇଁ ଥର୍ମୋପ୍ଲାଷ୍ଟିକ୍ ରୋଡ୍ ମାର୍କିଂ ମେସିନ୍ ବ୍ୟବହାର କରୁଥିଲେ। ଏହି ସମୟରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଶବ୍ଦ ଶୁଣି ଘଟଣାସ୍ଥଳରେ ସୁରକ୍ଷାକର୍ମୀ ମାନେ ପହଞ୍ଚି ଶ୍ରମିକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଗତ କିଛି ବର୍ଷ ଧରି ଚାଲିଆସୁଥିବା ବିମାନବନ୍ଦରର ଦ୍ୱିତୀୟ ଟର୍ମିନାଲ ନିର୍ମାଣ ସମୟରେ ଏହା ହେଉଛି ପ୍ରଥମ ଅଗ୍ନି ଦୁର୍ଘଟଣା। ତେବେ ବିସ୍ଫୋରଣର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।